ଭୁବନେଶ୍ବର: ପୁଅର ହେବେ ନା ଦଳର ହେବେ ? ଭୋଟ୍ କାହା ପାଇଁ ଭିକ୍ଷା କରିବେ ? ପୁଅ ଲାଗି ନା ଦଳ ପାଇଁ ? କୁଆଡେ ଯିବେ ଦାମ ? ଏହି ଚକ୍ରବୂହ୍ୟରେ ଫସିଛନ୍ତି ବିଜେପିର ବରିଷ୍ଠ ନେତା । ତେବେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ଦାମ ରାଉତ ।
ଦାମ ନିଜେ ଧରିଛନ୍ତି ବିଜେପିର ପ୍ରଚାର ମଙ୍ଗ । ହେଲେ ବିଜେଡି ଦାମଙ୍କ ଗଡରେ ତାଙ୍କ ପୁଅକୁ ପ୍ରାର୍ଥୀ କରିଛି । ତେବେ ଦାମ କହିଛନ୍ତି ଯେ ଯେହେତୁ ସେ ବିଜେପିରେ ରହିଛନ୍ତି ବିଜେଡି ପାଇଁ ପ୍ରଚାର କରିବାର ପ୍ରଶ୍ନ ଉଠୁନାହିଁ । ପୁଅ ହେଲେ ମଧ୍ୟ ବାପା ହିସାବରେ ପାରାଦ୍ବୀପକୁ ପ୍ରଚାର କରିବାକୁ ସେ ଯିବେ ନାହିଁ । ପୁଅ ନିଜ ଇଚ୍ଛାରେ ପ୍ରାର୍ଥୀ ହୋଇଛି । ନିଜ ନିଷ୍ପତ୍ତି ସେ ନିଜେ ନେବ ବୋଲି ଦାମ କହିଛନ୍ତି ।
ତେବେ ଦଳ ପାଇଁ ପ୍ରଚାର କରିବାକୁ ଯିବେ କି ପ୍ରଶ୍ନରେ ସେ କହିଛନ୍ତି ଯେ ଏହାର ନିଷ୍ପତ୍ତି ଦଳ ନେବ । ଦଳ କହିଲେ ସେ ପ୍ରଚାର କରିବେ । ବିଜେପିରେ ସେ ଅଛନ୍ତି ବିଜେପି ପାଇଁ ସେ ପ୍ରଚାର କରିବେ । ଜଗତସିଂହପୁର ଲୋକସଭା କ୍ଷେତ୍ରର ସବୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିବେ ।
ହେଲେ ପୁଅ ପାଇଁ ପ୍ରଚାର କରିବେନି ବୋଲି ସ୍ପଷ୍ଟ କରିଛନ୍ତି । ସେ ବିଜେଡି ଛାଡିଛନ୍ତି । ସେ ଦଳ ପାଇଁ କୌଣସି ପ୍ରକାର କୋହଳ ମନୋଭାବ ନାହିଁ । ସେ ପୁଅ ହେଉ କିମ୍ବା ଆଉ କିଏ । ପୁଅ ଜାଣେ ଦଳ ତାଙ୍କୁ ବହିଷ୍କାର କରିଛି । ତେଣୁ ଯଦି ସେ ପ୍ରାର୍ଥୀ ହୋଇଛି, ତାହାର କଥା ସେ ବୁଝିବ ବୋଲି ଦାମ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ