ଜଗତସିଂହପୁର: କୋରୋନାକୁ ନେଇ ସାରା ବିଶ୍ବରେ ପଡିଛି ଚହଳ । ଶୁକ୍ରବାର ରାଜ୍ୟ ସରକାର କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହା ପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆସନ୍ତା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ସପିଂ ମଲ ଓ ଫିଲ୍ମ ହଲକୁ ବନ୍ଦ କରିଛନ୍ତି ।
ସେହିପରି ସହର ମଧ୍ୟରେ ବିବାହ ଭୋଜି ଓ ସଭା ସମିତି ଉପରେ ନଜର ରଖାଯାଇଛି । କିନ୍ତୁ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ହେଉଥିବା ଗହଳିକୁ ନେଇ ଲୋକେ ଏବେ ଆଶଙ୍କାରେ ରହିଛନ୍ତି । ଡେଟ ଲାଇନ ସରିଯିବା ପରେ ଏବେ ବି ପରିବହନ କାର୍ଯ୍ୟାଳୟରେ ଶହ ଶହ ଲୋକଙ୍କ ଗହଳି ସାଙ୍ଗକୁ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ତେବେ ଗୋଟିଏ ସ୍ଥାନରେ ଏକାଧିକ ଲୋକେ ଜମା ହେଉଥିବାରୁ ଲୋକେ ଭୟଭୀତ ହେବା ସହ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ।
ହେଲେ ଚେକିଂ ଓ ଫାଇନ ଭୟରେ ଲୋକେ ଦିନ ଦିନ ଧରି ଲାଇନରେ ଛିଡା ରହୁଛନ୍ତି । ସାଧାରଣ ଥଣ୍ଡା କାଶରେ ପୀଡିତଙ୍କୁ ଦେଖିଲେ ବି ଲୋକେ ସେ ସ୍ଥାନ ଛାଡି ପଳାଉଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ