ଜଗତସିଂହପୁର: ବକେୟା ପାଉଣା ଦାବି ନେଇ ଆଇଓସିଏଲ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ପ୍ରାୟ ୩୨ରୁ ଊର୍ଦ୍ଧ୍ବ ଠିକାଦାର । ସେମାନଙ୍କ ଧାରଣାକୁ ୧୩ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶୁଣୁନାହାଁନ୍ତି କମ୍ପାନୀ କର୍ତ୍ତୃପକ୍ଷ ।
ଦୀର୍ଘଦିନ ହେବ ଏହି ଠିକାଦାରମାନେ ତୈଳବିଶୋଧନାଗାର ଅଧିନରେ ଥିବା ପୁଞ୍ଜ୍ ଲୟେଡ଼ କମ୍ପାନୀରେ ଠିକାରେ କାମକରି ଆସୁଥିବା ବେଳେ କମ୍ପାନୀ ଉପରେ ପ୍ରାୟ ୧୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବାକି ରହିଛ । ବକେୟା ଅର୍ଥ ଦେବା ପାଇଁ ସମୟ ଉପରେ ସମୟ ଗଡେଇ ଚାଲିଛି ସମ୍ପୃକ୍ତ କମ୍ପାନୀ । ଏ ସଂକ୍ରାନ୍ତରେ ଠିକାଦାରମାନେ ତୈଳବିଶୋଧନାଗାର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାପରେ ଖୁବଶୀଘ୍ର ବକେୟା ପାଉଣା ପ୍ରଦାନ କରାଯିବ ପ୍ରତିଶୃତି ମିଳିଥିଲା ହେଲେ ଏପର୍ଯ୍ୟନ୍ତ ବାକି ଟଙ୍କା ନମିଳିବାରୁ ଧାରଣାରେ ବସିଛନ୍ତି 32ରୁ ଊର୍ଦ୍ଧ୍ବ ଠିକାଦାର ।
ଗତ ୫ ତାରିଖ ଠାରୁ ଠିକାଦାରମାନେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଆସିଥିଲାବେଳେ ଗତ ୧୪ ତାରିଖ ଦିନ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କମ୍ପାନୀ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଭିତରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । କିନ୍ତୁ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନପାରିବାରୁ କମ୍ପାନୀର ମୁଖ୍ୟ ଫାଟକକୁ ତାଲା ପକାଇବା ସହ ଅଧିକାରୀଙ୍କ ଗାଡିକୁ ଅଟକାଇଥିଲେ ଠିକାଦାର । ଫଳରେ ଅଭୟଚାନ୍ଦପୁର ପୋଲିସ ସେମାନଙ୍କୁ ରାସ୍ତା ଉପରୁ ଉଠାଇଥିଲା ।
ତେବେ କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ଏହା ଉପରେ ବିଚାର ନକଲେ ଆଗାମୀ ଦିନରେ ସମସ୍ତ ପରିବାର ସହ ରାସ୍ତାରେ ବସି ଧାରଣା ଦେବା ସହ କମ୍ପାନୀ ଅଚଳ କରିବେ ବୋଲି ଠିକାଦାରମାନେ ଚେତାବନୀ ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ