ଜଗତସିଂହପୁର: ବାପାଙ୍କ ପକେଟରୁ 60 ଟଙ୍କା ଚୋରି କରିଥିଲା ପୁଅ । ବାପାମାଆ ଆକଟ କରିବାରୁ ଜୀବନ ହାରିଦେଲା ପୁଅ । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଗାଲୁପଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ମୃତ ଛାତ୍ର ଜଣକ ଦଶମ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନ ରାଉତ ।
ସୂଚନା ଅନୁଯାୟୀ, ଗାଲୁପଡା ଅଞ୍ଚଳ ନିବାସୀ ପ୍ରକାଶ ରାଉତ ଓ ମାଆ ରଶ୍ମିରେଖା ମହାପାତ୍ରଙ୍କ ୧୫ ବର୍ଷୀୟ ପୁଅ ପ୍ରଦ୍ୟୁମ୍ନ ରାଉତ । ଉଭୟେ ସରକାରୀ ଶିକ୍ଷକ ହୋଇଥିବା ବେଳେ ପ୍ରଦ୍ୟୁମ୍ନ ତାଙ୍କର ଏକମାତ୍ର ପୁଅ ଥିଲା । ପୁଅକୁ ଭଲ ପାଠ ପଢ଼ାଇବା ପାଇଁ ବାଲିକୁଦା ବ୍ଲକ ମୁଳଗାଁ ପୈତୃକ ଘର ଛାଡ଼ି ଶିକ୍ଷକ ଦମ୍ପତି ଜଗତସିଂହପୁର ସହରର ଗାଲୁପଡା ଠାରେ ଭଡ଼ଘରେ ରହୁଥିଲେ । ଦିନେ ପ୍ରଦ୍ୟୁମ୍ନ ବାପାଙ୍କ ପକେଟରୁ ମାତ୍ର 60 ଟଙ୍କା ଚୋରି କରିଥିବା ଜାଣିବାକୁ ପାଇଥିଲେ । ଏଥିରେ ବାପା,ମାଆ ଗାଳି ଦେବା ସହ ଏପରି କରିବାକୁ ଆକଟ କରିଥିଲେ । ଯାହାକୁ ସହ୍ୟ କରିପାରିନଥିଲା ପୁଅ । ବାପା,ମାଆ ଗାଳି ଦେବାପରେ ରାଗରେ ପ୍ରଦ୍ୟୁମ୍ନ ସ୍କୁଲ ଯାଇ ନଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ବିବାହର ୧୩ ବର୍ଷ ପରେ ବି ଯୌତୁକ ନିର୍ଯାତନା, ଜୀବନ ହାରିଲେ ବଧୂ
ବାପା ଓ ମାଆ ଉଭୟେ ନିଜ ନିଜ ସ୍କୁଲକୁ ଯିବା ପରେ ପ୍ରଦ୍ୟୁମ୍ନ ଏକ ସୁଇସାଇଡ଼ ନୋଟ ଲେଖି ଜୀବନ ହାରିଛି । ''ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି, ମୁଁ ପକେଟରୁ ଚୋରି କରିଥିବା ବଳକା ପଇସା ଟେବୁଲ ଉପରେ ରଖିଛି । ବାପାଙ୍କ ପକେଟରୁ ଚୋରି କରିବା ମୋର ଭୁଲ ଥିଲା । ସେଥିପାଇଁ ଦଣ୍ଡ ସ୍ୱରୂପ ମୁଁ ଆତ୍ମହତ୍ୟା କରୁଛି ।"
ମୁଁ ଭୁଲ କରିଥିବାରୁ ବାପା ମୋତେ କ୍ଷମା କରିବ ବୋଲି ସୁଇସାଇଡାଲ ନୋଟରେ ଛାତ୍ର ଜଣଙ୍କ ଉଲ୍ଲେଖ କରିଛି । ଘରକୁ ଫେରିବା ପରେ ପ୍ରକାଶ ଓ ରଶ୍ମିରେଖା ପୁଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ତୁରନ୍ତ ପ୍ରଦ୍ୟୁମ୍ନକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ପ୍ରଦ୍ୟୁମ୍ନ ବାପା,ମାଆଙ୍କ ଏକ ମାତ୍ର ପୁଅ ଥିବାବେଳେ ସାମାନ୍ୟ କଥାକୁ ନେଇ ପୁଅର ଏଭଳି ଚରମ ନିଷ୍ପତ୍ତିରେ ସେମାନେ ଭାଙ୍ଗି ପଡ଼ିଛନ୍ତି । ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଇଟିଭି ଭାରତ, ଜଗତସିଂହପୁର