ଜଗତସିଂହପୁର : ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା, ଶାରଳାଙ୍କ ମନ୍ଦିରରେ ଶନିବାର ପାଳିତ ହୋଇଛି ଚନ୍ଦନ ଯାତ୍ରା ଓ ଭଉଁରୀ ଉତ୍ସବ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ମା’ ଶାରଳାଙ୍କ ଚନ୍ଦନ ଯାତ୍ରା ଏକୋଇଶ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଆସୁଥିଲା । ଶନିବାର ଯାତ୍ରା ଶେଷ ହୋଇଛି ।
ପ୍ରତ୍ୟେକ ଦିନ ମୁଖ୍ୟ ମନ୍ଦିରରେ ନୀତିକାନ୍ତି ସମାପନ ପରେ ମା, ଙ୍କ ଚଳନ୍ତି ପ୍ରତିମା ଚନ୍ଦନ ସରୋବର କୁ ସୁସଜ୍ଜିତ ବିମାନରେ ବିଜେ କରିଥାନ୍ତି। ଚନ୍ଦନ ଉତ୍ସବ ଏକ ବୈଷ୍ଣବ ପରମ୍ପରା ହୋଇଥିବା ବେଳେ ଏହା ଓଡ଼ିଶାର ଏକମାତ୍ର ଶକ୍ତିପୀଠ ମା’ଶାରଳାଙ୍କ ମନ୍ଦିରରେ ପାଳନ କରାଯାଇଥାଏ। ଦେବୀଙ୍କୁ ଶାକ୍ତ ପଦ୍ଧତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ବୈଷ୍ଣବ ପରମ୍ପରାର ଅପୂର୍ବ ସମନ୍ବୟ ରହିଛି। ଯାହାକୁ ନେଇ ମା’ ଶାରଳାଙ୍କୁ ବେଲପତ୍ର ଓ ତୁଳସୀ ଦ୍ବାରା ପୂଜା କରାଯାଇଥାଏ। ଅକ୍ଷୟ ତୃତୀୟା ଠାରୁ କୃଷପକ୍ଷ ଦଶମୀ ପର୍ଯନ୍ତ ଚନ୍ଦନ ଲାଗି ଓ ନୌବିହାର ପରମ୍ପରା ଦେବୀ ପ୍ରତିଷ୍ଠା ଦିନ ଠାରୁ ରହି ଆସିଛି। ଚନ୍ଦନ ଚାପ କୁ ମା’ ଶାରଳା ବିଜେ କଲା ପରେ ବିଭିନ୍ନ ସ୍ଥାନରେ ଦେବୀଙ୍କୁ ପକ୍ତି ଭୋଗ ଅର୍ପଣ କରାଯାଇଥାଏ। ଗୀତ ଗୋବିନ୍ଦ ଓ, ଦେଖ ଗୋ ରାଧା ମାଧବ ଚାଲି........ ଗାନ କରି ବିଜେ କରିବାର ଦୃଶ୍ୟ ବେଶ ଚିତାକର୍ଷକ ହୋଇଥାଏ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ