ଜଗତସିଂହପୁର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ତୃଣମୂଳ ସ୍ତରରେ ସଂଗଠନକୁ ଦୃଢ କରିବା ପାଇଁ ଲାଗିପଡ଼ିଛି ବିଜେଡି । ଏହି କ୍ରମରେ ବାଲିକୁଦା ଅଞ୍ଚଳରେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ଏକାଠି କରିବା ଲାଗି ଦଳ ପ୍ରୟାସ ଆରମ୍ଭ କରିଛି । ଆଶାୟୀ ପ୍ରାର୍ଥୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରୁଛି । ଅନ୍ୟପଟେ ବାଲିକୁଦା ଏରସମାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ବୋହୁ ଶିଖାସ୍ୱାଇଁ ‘ଶିଖା ଉମେଶ ସ୍ୱାଇଁ ଫାଉଣ୍ଡେସନ’ ନାମରେ ଲୋକଙ୍କ ନିକଟତର ହୋଇ ଆଗାମୀ ନିର୍ବାଚନରେ ଲଢ଼ିବା ପାଇଁ ପ୍ରସ୍ତୁତ ହେଲେଣି ।
ବର୍ତ୍ତମାନ ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସଙ୍କ ଠାରୁ ଲୋକେ ମୁହଁ ଫେରାଇ ନେଉଥିବାରୁ ବିଧାୟକ ରଘୁନନ୍ଦନ ଦାସ ତାଙ୍କ ପୁଅ ଆଦିତ୍ୟ ରଞ୍ଜନ ଦାସଙ୍କୁ ଆଗାମୀ ନିର୍ବାଚନରେ ଲଢ଼ିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ଓ ଦଳୀୟ ଆଭ୍ୟନ୍ତରୀଣ କନ୍ଦଳ ବୃଦ୍ଧି ପାଉଥିବାରୁ ଦଳ ପାଇଁ ଏବେ ଏହା ସମସ୍ୟା ସୃଷ୍ଟି କରିଛି । ତେବେ ଆଗାମୀ ଦିନରେ ଦଳ ଯାହାକୁ ପ୍ରାର୍ଥୀ କରିବ ସେ ତାକୁ ସମର୍ଥନ ଦେବେ ବୋଲି ବିଧାୟକ ରଘୁନନ୍ଦନ ଦାସ କହିଛନ୍ତି । ଜଗତସିଂହପୁର ଜିଲ୍ଲାରେ 4ଟି ବିଧାନସଭା ଆସନ ମଧ୍ୟରୁ ବାଲିକୁଦା-ଏରସମା ଆସନଟି ବେଶ ଗୁରୁତ୍ୱ ବହନ କରେ । ଏହି ନିର୍ବାଚନ ମଣ୍ଡଳୀଟି 2004 ପୂର୍ବରୁ କଂଗ୍ରେସ ଗଡ଼ ଭାବରେ ପରିଚିତ ଥିବା ବେଳେ 2004 ପରଠାରୁ ଏହା ବିଜେଡି ଅକ୍ତିଆରରେ ରହିଛି । ଶାସକ ବିଜେଡି ଏହି ଆସନରେ ଲଗାତାର ବିଜୟୀ ହୋଇଆସୁଛି ।
ଏହା ମଧ୍ୟ ପଢ଼ନ୍ତୁ: 2024 ପାଇଁ ପାଗଭିଡ଼ା, ବାରବାଟୀରେ ବିଜେଡିର ସମର ସଜା
ପ୍ରକାଶ ଥାଉକି, 2009 ସାଧାରଣ ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ୱାଇଁ, ସେତେବେଳେ ପ୍ରାର୍ଥୀ ହୋଇଥିବା ବେଳେ ବିଜୁ ଜନତା ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲା । ବରିଷ୍ଠ କଂଗ୍ରେସ ନେତା ଉମେଶ ସ୍ୱାଇଁଙ୍କୁ ସେ ସମୟରେ ପ୍ରଶାନ୍ତ କଡା ଟକ୍କର ଦେଇ 31 ହଜାର 385 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ସେହିପରି 2014 ସାଧାରଣ ନିର୍ବାଚନରେ କଂଗ୍ରେସ ଲଲାଟେନ୍ଦୁ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା । ସେ ସମୟରେ ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି 29 ହଜାର 354 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । 2019 ସାଧାରଣ ନିର୍ବାଚନରେ ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ସେଠାରେ ଆଉ ପ୍ରାର୍ଥୀ କରି ନଥିଲା । ବିଜେପିରୁ ରଘୁନନ୍ଦନ ଦାସଙ୍କୁ ଆଣି ବିଜେଡି ଏହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଥିଲା । ସେ ସମୟରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କୁ ନିର୍ବାଚନ ମଣ୍ଡଳୀବାସୀ ଅକୁଣ୍ଠିତ ସମର୍ଥନ ଜଣାଇଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କୁ 54 ହଜାର 583 ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ ।
ଏହି ଆସନରୁ ରଘୁନନ୍ଦନ ଦାସଙ୍କର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ । ସୂଚନା ଲୋକ ସମ୍ପର୍କ ଓ ପୂର୍ତ୍ତ ବିଭାଗ ଭଳି ବିଭାଗର ମନ୍ତ୍ରୀ ହୋଇଥିଲେ । ହେଲେ ମନ୍ତ୍ରୀ ହେବାପରେ ସେ ନିଜ ନିର୍ବାଚନ ମଣ୍ଡଳୀ ପ୍ରତି ବିଶେଷ ଦୃଷ୍ଟି ଦେଇ ପାରି ନଥିଲେ । ଫଳରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ରଘୁନନ୍ଦନଙ୍କୁ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡିଥିଲା । ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀରେ ବହୁ ଆଶାୟୀ ଏବେ ମୁଣ୍ଡ ଟେକିବା ଆରମ୍ଭ କଲେଣି । ବନ୍ଧୁ ମିଳନ ନାମରେ ବିଜେଡିର ଅସନ୍ତୁଷ୍ଟ କର୍ମୀଙ୍କୁ ନେଇ ଆଶାୟୀ ପ୍ରାର୍ଥୀ ମାନେ ଆଜିଠାରୁ ବିଭିନ୍ନ ସ୍ଥାନରେ ସଭା ସମିତି କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର