ଜଗତସିଂହପୁର: ଜଗତସିଂହପୁର ପୌର ପରିଷଦର ୬ ନମ୍ବର ୱାର୍ଡରେ ଉପ ନିର୍ବାଚନ ପାଇ ଭୋଟ ଗ୍ରହଣ କରାଯାଇଥିବା ବେଳେ ଆଜି (ଗୁରୁବାର) ଭୋଟ ଗଣତି କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ଉପ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୋଜାଲିନ ଦାଶ ବିଜୟୀ ହୋଇଛନ୍ତି । ସେ ମାତ୍ର ଖଣ୍ଡିଏ ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଚିନ୍ମୟୀ ନନ୍ଦଙ୍କୁ ମାତ୍ ଦେଇଛନ୍ତି । ବିଜୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ମୀମାନେ ବାଣ ଫୁଟାଇ ସେଲିବ୍ରେସନ କରିଥିବା ଦେଖିବାକୁ ମିଳିଛି ।
ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୋଜାଲିନ ଦାଶ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ ଚିନ୍ମୟୀ ନନ୍ଦ ଓ ବିଜେପି ପ୍ରାର୍ଥୀ ଭାବରେ ବିଷ୍ଣୁ ପ୍ରିୟା ସିଂ ପ୍ରତିଦ୍ବନ୍ଦିତା କରୁଥିଲେ । ଗୁରୁବାର ଭୋଟ ଗଣତି ପରେ ମିଳିଥିବା ସୂଚନା ଅନୁଯାୟୀ ୭୭ ପ୍ରତିଶତ ଭୋଟ ହାର ଥିବାବେଳେ ମୋଟ ୮୩୫ ଖଣ୍ଡ ଭୋଟ୍ ବାକ୍ସରେ ପଡିଥିଲା । ସେଥିମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ଚିନ୍ମୟୀ ନନ୍ଦ ୪୦୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ ୪୦୭ ଖଣ୍ଡ ଭୋଟ୍ ପାଇ ମାତ୍ର ଗୋଟିଏ ଭୋଟ ଅଧିକ ବିଜୟୀ ହୋଇଛନ୍ତି ।
ଏହା ବି ପଢନ୍ତୁ- ଜଗତସିଂହପୁର ପୌର ପରିଷଦରେ ଭୋଟିଂ ଶେଷ, ୬ନଂ ୱାର୍ଡ ପାଇବ ନୂଆ କାଉନସିଲର
ସେହିପରି ବିଜେପି ପ୍ରାର୍ଥୀ ବିଷ୍ଣୁ ପ୍ରିୟା ସିଂହଙ୍କ ସପକ୍ଷରେ ମାତ୍ର ୨୧ ଖଣ୍ଡ ଭୋଟ ପଡିଛି । ଆଜି ଭୋଟ ଗଣତି ସରିବା ପରେ ବିଜେଡି ପ୍ରାର୍ଥୀ ରୋଜାଲିନ ଦାସଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ବିଜୟକୁ ନେଇ ବିଜେଡି ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜୟୀ ପ୍ରାର୍ଥୀ ରୋଜାଲିନ ଦାସ ସେମାନଙ୍କ ସମର୍ଥକଙ୍କ ଶହ ଆସି ପ୍ରଥମେ ଥାନା ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇ ସେଠାରୁ ବିଜୟର ପ୍ରମାଣ ପତ୍ର ଆଣିଥିଲେ । ଏହି ବିଜୟକୁ ନେଇ ପୌରାଞ୍ଚଳରେ ବିଜେଡି କର୍ମୀମାନେ ଉତ୍ସାହିତ ହୋଇ ପଡିଛନ୍ତି । ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ବିଜୟ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ- 29ରେ ଜଗତସିଂହପୁର ପୌରପରିଷଦ ଉପନିର୍ବାଚନ, ପ୍ରଚାର ମୈଦାନରେ ହେଭିୱେଟ୍
ସୂଚନା ଥାଉ କି ଗତ ପୌର ନିର୍ବାଚନରେ ଏହି ୱାର୍ଡଟି ବିଜେଡି ଅକ୍ତିଆରରେ ରହିଥିଲା । ଏଠାରୁ ବିଜେଡି ପ୍ରାର୍ଥୀ ସୌଭାଗ୍ୟ ଲକ୍ଷ୍ମୀ ରଥ ମାତ୍ର ୧୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ପରେ ତାଙ୍କର ବିୟୋଗ ହେବା ପରେ ଏହିଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେଡି ଏହି ୱାର୍ଡ ପାଇଁ ସୌଭାଗ୍ୟ ଲଷ୍ମୀ ରଥଙ୍କ ପୁତ୍ରବଧୂ ରୋଜାଲିନଙ୍କୁ ପ୍ରାର୍ଥୀ କରିଥିଲା । ଆଜି ଭାଗ୍ୟ ତାଙ୍କୁ ସାଥ୍ ଦେଇଥିବା ଦେଖିବାକୁ ମିଳିଛି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ମାତ୍ର ଏକ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର