ଜଗତସିଂହପୁର: ଲୋକ ଲଜ୍ଜା ସହିନପାରି ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍କର୍ମ ପୀଡ଼ିତା । ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ(ASHA worker gang raped in Paradip) । କୁଜଙ୍ଗ ଅଞ୍ଚଳରେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି । ଦୁଷ୍କର୍ମ ପୀଡ଼ିତା ଜଣେ ଆଶାକର୍ମୀ ବୋଲି ଜଣା ପଡ଼ିଛି ।
ଗତ ଅଗଷ୍ଟ ୨୭ ତାରିଖରେ ୪ ଜଣ ଦୁର୍ବୃତ୍ତ ଆଶାକର୍ମୀଙ୍କୁ ଏକ କାର୍ରେ ଅପହରଣ କରି ନେହୁରୁ ବଙ୍ଗଳା ନିକଟରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହାକୁ ନେଇ ପରିବାର ପକ୍ଷରୁ ପାରାଦ୍ବୀପ ଥାନାରେ ଏକ ଏତଲା ଦିଆଯାଇଥିଲା । ଏହି ମାମଲାରେ ପୋଲିସ ଆଶାକର୍ମୀଙ୍କ ବୟାନ ରେକର୍ଡ କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଅଭିଯୁ୍କ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏହା ମଧ୍ୟ ପଢନ୍ତୁ: ପାରାଦ୍ୱୀପରେ ଚାଞ୍ଚଲ୍ୟ, ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟକ
ଆଶାକର୍ମୀଙ୍କୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ତାଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଚାଲି ଯାଇଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ପାରାଦ୍ବୀପ ଆଦର୍ଶ ଥାନା ପକ୍ଷରୁ ଆଶାକର୍ମୀଙ୍କୁ ସେଠାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ନାଲି କାରକୁ ଜବତ କରିଥିଲା ପୋଲିସ । ସମସ୍ତ ଅଭିଯୁକ୍ତ ଏବେ ଜେଲ୍ରେ ରହିଛନ୍ତି । ତେବେ ଜେଲ୍କୁ ଯାଇ ପୀଡ଼ିତା ଟିଆଇ ପରେଡରେ ଅପରାଧୀଙ୍କୁ ଚିହ୍ନଟ କରିବାକୁ ସ୍ଥିର ହୋଇଥିଲା । ଏଥିପାଇଁ ପୋଲିସ ଆଶାକର୍ମୀଙ୍କ ସହଯୋଗ ଲୋଡ଼ିଥିବା ବେଳେ ଏହାପୂର୍ବରୁ ସେ ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ । ଏହାକୁ ନେଇ ପୁନଃ ପରିବାର ପକ୍ଷରୁ ପୀଡ଼ିତା ନିଖୋଜ ନେଇ ମାମଲା ରୁଜୁ କରିଥିଲେ ।
ସୋମବାର କୁଜୁଙ୍ଗ ଅଞ୍ଚଳରେ ଏକ ରେଳ ଧାରଣା ନିକଟରେ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ତାଙ୍କ ବାପାଙ୍କୁ ଖବର ଦେଇଥିଲେ । ଘର ପାଖରୁ ଅଧ କିମି ଦୂରରେ ଥିବା ଗର୍ଭବତୀଙ୍କୁ ଦେଖିବାକୁ ଯାଇ ଶୀଘ୍ର ଫେରିବି ବୋଲି କହି ଚାଲି ଯାଇଥିଲେ ଆଶାକର୍ମୀ । ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ତାଙ୍କ ମାଆ ଫୋନ୍ କରିଥିଲେ । ତେବେ ସେ ଫୋନ୍ ଉଠାଇ ନଥିଲେ । ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ନମିଳିବାରୁ ଏ ସମ୍ପର୍କରେ ତୁରନ୍ତ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପୀଡ଼ିତାଙ୍କ ମୋବାଇଲ ଟ୍ରାକ୍ କରି ତାଙ୍କୁ ଉଦ୍ଧାର କରିଛି ।
ଇଟିଭି ଭାରତ, ଜଗତସିଂହପୁର