କଟକ: କନ୍ଧମାଳର ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଯାଉ ଖାଇ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି । କଟକ ବଡ଼ ମେଡିକାଲରେ ଆଖି ବୁଜିଲେ ଜିତା ମାଝୀ । 3କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା । ଆମ୍ବ ଟାକୁଆ ଜାଉ ଖାଇ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲ ମେସିସିନ ଆଇସିୟୁରେ ଭର୍ତ୍ତି ହୋଇଥିବା ଜିତା ମାଝୀଙ୍କ ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଜିତାଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ସବୁ ଚେଷ୍ଟା ସତ୍ତ୍ବେ ଆଜି ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି ।
ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି:
ଜିତାଙ୍କ ମୃତ୍ୟୁ ପରେ ଆମ୍ବ ଟାକୁଆ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ପୂର୍ବରୁ ଆଉ 2 ଜଣ ରୋଗୀ ପ୍ରାଣ ହରାଇଥିଲେ । ତେବେ କିଛି ଦିନ ପୂର୍ବରୁ କଟକ ଏସସିବିରେ ଗୁରୁତର ରୋଗୀଙ୍କୁ ଭେଟିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏସସିବିରେ ଆଡ଼ମିଟ ହୋଇଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମର ଗୁରୁତର ଟୁନି ମାଝୀ ଓ ଜିତା ମାଝୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ସମ୍ପର୍କରେ ବୁଝିବା ସହ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ।
କାମ କରୁନଥିଲା ଜିତାଙ୍କ ଏସବୁ ଅଙ୍ଗ:
ଜିତାଙ୍କ କିଡନୀ, ହାର୍ଟ, ଲିଭର ବ୍ରେନ ସବୁ କିଛି ଅଙ୍ଗ ଅଚଳ ହୋଇଯାଇଥିଲା । 10 ଥର ଡାଏଲିସିସ ହେଉଥିଲେ ସୁଦ୍ଧା ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଆଜି ଭେଣ୍ଟିଲେଟରରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି ।
ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲା ବିଜେଡି:
ଜିତାଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ବିଜେପିକୁ ଘେରିଛି ବିଜେଡି । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ‘କନ୍ଧମାଳର ଆମ୍ବ ଟାକୁଆ ଘଟଣା ନୂଆ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ମହିଳାଙ୍କ ମୃତ୍ୟୁକୁ ନେଇ ବିଜେଡ଼ି ଗଭୀର ଦୁଃଖ ପ୍ରକାଶ କରିଛି । ଦୀର୍ଘ ୧୫ ରୁ ୨୦ ଦିନ ଏହି ଖବର ଚର୍ଚ୍ଚାର ଶିରୋନାମ ପାଲଟିଛି । ନୂଆ ସରକାର ସମୟରେ ଯାହା ଘଟିଛି ତାହାକୁ ଆମେ ନିନ୍ଦା କରୁଛୁ । ପ୍ରଥମେ ଦୁଇଜଣଙ୍କ ଜୀବନ ଯାଇଥିଲା ଆଉ ଆଜି ଜିତା ମାଝି ମୃତ୍ୟୁବରଣ କରିଛନ୍ତି । ନବୀନ ବାବୁଙ୍କ ସମୟରେ ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ଗ୍ରହଣୀୟ ଥିଲା ହେଲେ ନୂଆ ସରକାର ପାଇଁ ଏହା ମୂଲ୍ୟ କିଛି ନାହିଁ । ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟରେ ଉଚିତ ଭାବେ କାର୍ଯ୍ୟକାରୀ ହେଉନାହିଁ । ଏହା ନୂଆ ସରକାର ପାଇଁ ନିନ୍ଦନୀୟ ।"
ବିଜେଡି କହିଲା ସରକାରଙ୍କ ବିଫଳତା:
ସେ ଆହୁରି ମଧ୍ୟ କହିଛନ୍ତି, "ଘଟଣାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମନ୍ତବ୍ୟ କେବେ ଗ୍ରହଣୀୟ ନୁହେଁ । ତିନି ଥର ସେ ସମାନ ମନ୍ତବ୍ୟ ଦେଇ ଆସୁଛନ୍ତି । ଏହି ମୃତ୍ୟୁକୁ ଗ୍ରହଣ ନକରି ଆମ୍ବ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହିବା ଅତ୍ୟନ୍ତ ନିନ୍ଦନୀୟ । ଆଜି ତୃତୀୟ ଅମୂଲ୍ୟ ଜୀବନ ଯାଇଛି । ଏହା ନୂଆ ସରକାରଙ୍କ ବିଫଳତା । ଏବେ ବିଜେଡି ଦାୟିତ୍ବହୀନ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛି । ଏପରି ଅସୁବିଧା ନହେବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରନ୍ତୁ । ଏହା ସହ ଯେଉଁ ସରକାରୀ ଅଧିକାରୀ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଗଣମାଧ୍ୟମରେ ଦେଇଥିବା ବିବୃତି ପାଇଁ କ୍ଷମା ପାର୍ଥନା କରନ୍ତୁ ବିଭାଗୀୟ ମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ: ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ ଆମ୍ବ ଟାକୁଆ ମୃତ୍ୟୁ ପାଇଁ ଦାୟୀ କିଏ ? ସରକାର କାହିଁକି ଚୁପ ପଚାରିଲେ ଶ୍ରୀକାନ୍ତ ଜେନା |
ସଞ୍ଜୟଙ୍କୁ କାଉଣ୍ଟର କଲା ବିଜେପି:
ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ‘ନବୀନ ସରକାର ସମୟରେ ରାୟଗଡା ଜିଲ୍ଲାରେ କାଶୀପୁର ଘଟଣା 2 ଥର ହୋଇଛି । ସେ କଥା ବୋଧେ ସଞ୍ଜୟ ଦାଶବର୍ମା ଭୁଲି ଯାଇଛନ୍ତି । ଏହା ହେଉଛି କେବଳ ତାଙ୍କର ହତାଶର ସ୍ବର । ବିଜୁ ଜନତା ଦଳ ସରକାରରୁ ଗଲାପରେ ତାଙ୍କର ହତାଶର ସ୍ବର ପରିପ୍ରକାଶ ପାଉଛି । ଗୁଡାଏ ମିଛ କଥା କହି ନିଜର ପ୍ରଚାର ପ୍ରସାର କରୁଥିଲେ । ମୋହନ ମାଝୀ ସରକାର ବିକାଶ କରୁଥିବାରୁ ବିଜେଡି ମିଛ ଅଭିଯୋଗ ଆଣୁଛି ।
ଇଟିଭି ଭାରତ, ଭୁବନେଶ୍ବର ଓ କଟକ