ପାରାଦ୍ବୀପ: ଜଗତସିଂହପୁର ପାରାଦ୍ବୀପ ପିପିଏଲ ପରିସରରେ ଉତ୍ତେଜନା ଦେଖାଦେଇଛି । ଜମିହରା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ପିପିଏଲର ସମ୍ମୁଖ ଗେଟକୁ ତାଲା ପକାଇ ଆନ୍ଦୋଳନ ଆରମ୍ଭ କରାଯାଇଛି । ଦୀର୍ଘ ୪୦ ବର୍ଷ ହେବ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରି ଏହି ଧାରଣା ଦେଇଛି ସଂଗଠନ ।
କୌଣସି କର୍ମଚାରୀଙ୍କୁ ଭିତରକୁ ପ୍ରବେଶ କରାଇ ଦିଆଯାଇନାହିଁ । ସଂଗଠନର ଅଭିଯୋଗ ଅନୁସାରେ ଦୀର୍ଘ 40 ବର୍ଷ ହେବ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରତାରଣା କରିଛନ୍ତି । ଜମି ଅଧିଗ୍ରହଣ ସମୟରେ କ୍ଷତି ରାଶି ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇପାରିନାହିଁ । କମ୍ପାନୀ ବେଆଇନ ଭାବେ ୧୮୭ ଏକର ଜମିକୁ ଜବର ଦଖଲ କରି ବାଉଣ୍ଡ୍ରି ବୁଲାଇ ରଖିଛି । କ୍ଷେତ ପୁରା ଦେଇନଥିବା ବେଳେ ଜମି ମଧ୍ୟ ଛାଡ଼ୁନାହିଁ ।
ସେହିପରି ବିସ୍ଥାପିତ ଲୋକଙ୍କୁ ଚାକିରୀ ଦେବାକୁ କହି କମ୍ପାନୀ ଏବେ ତାଙ୍କୁ ଭୁଆଁ ବୁଲାଉଥିବା ସଂଗଠନ ଅଭିଯୋଗ କରିଛି । ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ନ ଦେଇ ଅଣ ଓଡିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି । ତୁରନ୍ତ ଏହାର ସମାଧାନ ନ ହେଲେ ପିପିଏଲକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଆନ୍ଦୋଳନ ଯୋଗୁଁ କମ୍ପାନୀରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ