ଜଗତସିଂହପୁର: ଦୁଷ୍କର୍ମ ଘଟଣାର ୭ ବର୍ଷ ପରେ ନାବାଳିକା ପୀଡ଼ିତାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ । ୧୦ ହଜାର ଜୋରିମାନା ସହ ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜୋରିମାନା ଅନାଦେୟରେ 4 ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସମସ୍ତ ତଥ୍ୟ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ସେସନ୍ ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ସୋମବାର ଦିନ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ସୂଚନା ଅନୁସାରେ, ଦୋଷୀ ଜଣକ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଅଞ୍ଚଳରେ ଶଙ୍କର ଭୋଇ । ପୀଡ଼ିତା ଜଣକ ହେଉଛନ୍ତି ଶଙ୍କରର ସମ୍ପର୍କୀୟ ଭଉଣୀ ହୋଇଥିବା ବେଳେ ସେ ମଧ୍ୟ ଉକ୍ତ ଗ୍ରାମର ଅଟନ୍ତି । ନାବାଳିକା ପୀଡ଼ିତା ଜଣକ ସାଙ୍ଗ ଘରକୁ ବୁଲିବାକୁ ଆସିଥିବା ସମୟରେ ଶଙ୍କର ଭୋଇ ସହ ଭେଟ ହୋଇଥିଲା । 25 ନଭେମ୍ବର 2016ରେ ଶଙ୍କର ଭୋଇ ନାବାଳିକାଙ୍କୁ ସାଙ୍ଗ ଘରୁ ଅପହରଣ କରି ନେଇଯାଇଥିଲା ଏବଂ ଭୁବନେଶ୍ବରର ଏକ ନିର୍ଜନ ସ୍ଥାନରେ ବାରମ୍ବାର ଦୁଷ୍କର୍ମ କରିଥିଲା । ସାଙ୍ଗ ଘରୁ ଝିଅ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ କୌଣସି ପତ୍ତା ମିଳିନଥିଲା । ଏହାର ପରଦିନ ଅର୍ଥାତ ୨୬ ତାରିଖରେ ବିରିଡି ଥାନାରେ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: Naba Das Murder Mystery: ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: କଂଗ୍ରେସ ବିଧାୟକ
ଅଭିଯୋଗ ପାଇବା ପରେ ବିରିଡି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଭୁବନେଶ୍ୱରରୁ ଶଙ୍କର ଭୋଇ ଓ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା । ପୀଡ଼ିତା ଜଣଙ୍କ ନାବାଳିକା ହୋଇଥିବାରୁ ଶଙ୍କର ଭୋଇ ନାମରେ ପୋକ୍ସୋ ଆଇନ ଅନୁଯାୟୀ 363/376/04ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହି ଘଟଣାରେ ପୋକ୍ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ଅଜୟ କୁମାର ମହାନ୍ତି ଦୋଷୀକୁ 7 ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ 20 ହଜାର ଟଙ୍କା ଜୋରିମାନାର ରାୟ ଶୁଣାଇଛନ୍ତି । ସେହିପରି ନାବାଳିକା ପୀଡ଼ିତାକୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ପକ୍ଷରୁ କ୍ଷତିପୂରଣ ବାବଦରେ 5 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ରାୟ ପ୍ରକାଶ ପାଇବା ପରେ ପୀଡ଼ିତାର ପରିବାର ନ୍ୟାୟ ପାଇଥିବା କହିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର