ଜଗତସିଂହପୁର: ଶିକ୍ଷାର ମନ୍ଦିରରେ ଅନୈତିକ କାର୍ଯ୍ୟ ଅଭିଯୋଗ । ଏଭଳି କିଛି ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) । ଏହାକୁ ନେଇ ଜଗତସିଂହପୁରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।
ଜଗତସିଂହପୁର ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ କଲେଜରେ ଦୁଇଜଣ ଛାତ୍ରଛାତ୍ରୀ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ଏକ ସିସିଟିଭି ଫୁଟେଜ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ କିଛି ବ୍ୟକ୍ତିବିଶେଷ ଏହି ଦୃଶ୍ୟକୁ ମୋବାଇଲରେ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି ।
ତେବେ କଲେଜ ଅଧ୍ୟକ୍ଷଙ୍କ ଚ୍ୟାମ୍ବରରେ ସିସିଟିଭିର ମନିଟର ଲାଗିଥିବାବେଳେ, ଏହି ଭିଡିଓ ମୋବାଇଲ୍ରେ କିଭଳି ଉତ୍ତୋଳନ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ତା ସହିତ କଲେଜ ଅଧ୍ୟକ୍ଷ ଏଭଳି ଏକ ଭିଡିଓକୁ ସାର୍ବଜନୀନ କାହିଁକି କରିଛନ୍ତି ବୋଲି ପ୍ରଶ୍ନ କରିଛି ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏଭଳି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ପ୍ରଥମେ ଏହାକୁ ନେଇ ସୂଚନା ଦେବା କଥା ହେଲା ତାହା କରାଯାଇନଥିବା ଅଭିଯୋଗ ହୋଇଛି । ଏହାକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।