ବ୍ରହ୍ମପୁର: ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିବାହ ଉତ୍ସବରେ କନ୍ୟାଯାତ୍ରୀ ଉପରକୁ ସ୍କର୍ପିଓ ଗାଡି ମାଡିଯିବାରୁ ତିନି ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୩ ଜଣ ଆହତ ହେବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ କିପରି ରହିଥିଲା ସେହି ସମୟରେ ଏହି ଘଟଣା, କିପରି ବିଳମ୍ବିତ ରାତିରେ ହସଖୁସିରେ ରାସ୍ତା ଉପରେ ରହିଥିବା କନ୍ୟାଯାତ୍ରୀଙ୍କ ଉପରକୁ ମାଡି ଯାଇଥିଲା ଏହି ସ୍କର୍ପିଓ ଗାଡି, ଏହାର ଭିଡିଓ ଏବେ ସାଧାରଣରେ ପହଞ୍ଚିଛି ।
ବିବାହ ଉତ୍ସବରେ ଯୋଗ ଦେଇଥିବା ଭିଡିଓ କ୍ୟାମେରାରେ କଏଦ ହୋଇଛି ଦୁର୍ଘଟଣା ପୂର୍ବର ଚିତ୍ର । ସମସ୍ତ ଖୁସିରେ କନ୍ୟା ପକ୍ଷର ମହିଳାମାନେ ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ପରମ୍ପରା ଅନୁଯାୟୀ କେତେକ ଲୋକେ ରାସ୍ତା ଉପରେ ରହି ପାରମ୍ପାରିକ ରୀତିନୀତିରେ ସମସ୍ତ କାର୍ଯ୍ୟ କରୁଥିଲେ । ଏହି ସମୟରେ ଦୃତ ଗତିରେ କେହି କିଛି ବୁଝିବା ପୂର୍ବରୁ ମାଡି ଆସିଥିଲା ସ୍କର୍ପିଓ ଗାଡିଟି । ଯାହା ହସଖୁସିରେ ମସଗୁଲ ରହିଥିବା କନ୍ୟାପକ୍ଷକୁ ଧକ୍କା ଦେଇଥିଲା ।
ଆଖି ପିଛୁଳାକେ ରାସ୍ତା ଉପରେ ମହିଳାମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ । ଯେଉଁଥିରେ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ଓ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ରୁ ଊର୍ଦ୍ଧ୍ବ ଏବେ ମଧ୍ୟ ଆହତ ହୋଇ ରହିଛନ୍ତି । ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ମୃତକ ମାନେ ହେଲେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ବପ୍ନା ରେଡ୍ଡୀ (୨୨), ସଞ୍ଜୁ ରେଡ୍ଡୀ(୨୩) ଓ ୧୨ ବର୍ଷର ଭାରତୀ ରେଡ୍ଡୀ । ସେପଟେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ଜାରି ରହିଛି । କନ୍ୟାଯାତ୍ରୀର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକେ ତାଙ୍କୁ ବାଟବରଣ କରିବାକୁ ଯିବା ପାଇଁ ଛିଡ଼ା ହୋଇଥିବା ବେଳେ ଏଭଳି ସ୍କର୍ପିଓ ଗାଡି ସେମାନଙ୍କ ଉପରେ ମାଡିଯାଇଥିଲା ।
ସେପଟେ ଏଭଳି ଦୁଃଖଦ ଘଟଣାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରିଛନ୍ତି । ଏହା ସହିତ ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏମକେସିଜି ମେଡିକାଲ ପରିଦର୍ଶନ କରି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ବିଷୟରେ ପଚାରି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ।
ଇଟିଭି ଭାରତ, ବ୍ରହ୍ମପୁର