ବ୍ରହ୍ମପୁର: ପଥର ଖାଦାନରେ କାମ କରୁଥିବା ସମୟରେ ଅଘଟଣ । ଗ୍ରାନାଇଟ ପଥର ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକ ମହୁରୀକାଳୁଆ ଛକ ନିକଟରେ । ତେବେ ମୃତକମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ ପିଲିଗାଡିହର ଗୋବିନ୍ଦ ମଳିକ ଓ ଜଗା ମଳିକ । ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି l ସେହିପରି ଏହି ଘଟଣାରେ ଅନ୍ୟ ଦୁଇଜଣ ଶ୍ରମିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ମୁତାବକ, ଜିଲ୍ଲାର ମହୁରୀକାଳୁଆ ଛକ ରାସ୍ତାରେ ଥିବା ଏକ ଗ୍ରାନାଇଟ୍ ଫ୍ୟାକ୍ଟ୍ରିରେ ସନ୍ଧ୍ୟାରେ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ହଠାତ୍ ଏକ ବଡ଼ ପଥର ଖଣ୍ଡ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା । ଫଳରେ ଦୁଇ ଜଣ ଶ୍ରମିକ ତଳେ ଚାପି ହୋଇ ପ୍ରାଣ ହରାଇ ଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଥିଲେ । ତେବେ ଆହତମାନେ ନଳିହାଡ଼ ଗ୍ରାମର କୃଷ୍ଣ ବେହେରା ଓ ଆର୍.ଉଦୟଗିରି ଥାନା ଅନ୍ତର୍ଗତ କଇଠଢ଼ିପ ଗ୍ରାମର ସୁଦର୍ଶନ ବଡ଼ରଇତ ବୋଲି ଜଣାପଡ଼ିଛି ।
ସେପଟେ ଘଟଣା ସମ୍ପର୍କରେ ଫ୍ୟାକ୍ଟ୍ରି ମାଲିକ ମୃତକଙ୍କ ପରିବାରବର୍ଗଙ୍କୁ ଜଣାଇଥିଲେ । ମୃତକଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏନେଇ ବ୍ରହ୍ମପୁର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l
ଏହା ମଧ୍ୟ ପଢନ୍ତୁ- ପଥର ବ୍ଲାଷ୍ଟିଂ ବେଳେ ଅଘଟଣ, ଚାପି ହୋଇ ମାମୁଁ-ଭଣଜା ମୃତ
ପ୍ରକାଶ ଥାଉକି, ସେହିପରି ଗତ ମାସରେ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ 2 ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ବନ୍ଧାଗୁଡା କ୍ରସର ନିକଟରେ କାମ କରୁଥିବା ଶ୍ରମିକଙ୍କର ପଥର ବ୍ଲାଷ୍ଟିଂ ବେଳେ ମୃତ୍ୟୁ ହୋଇଥିଲା । ପ୍ରାଣ ହରାଇଥିବା ଶ୍ରମିକ 2 ଜଣ ସମ୍ପର୍କରେ ମାମୁଁ ଓ ଭଣଜା ଥିଲେ । ରାତି ପ୍ରାୟ ସାଢ଼େ 7ଟାରେ କ୍ରସର ନିକଟରେ ଥିବା ପଥର କୁଆଁରିରେ ବ୍ଲାଷ୍ଟିଂ ଚାଲିଥିଲା l ଏହି ସମୟରେ ଉଭୟ ମାମୁଁ ଓ ଭଣଜା ସେହିଠାରେ କାମ କରୁଥିଲେ । ପଥର ବ୍ଲାଷ୍ଟିଂ ସମୟରେ ସେମାନେ ଏକ ବଡ଼ ପଥର ପଛ ପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିଲେ ବୋଲି ଜଣାପଡିଛି l ତେବେ ବ୍ଲାଷ୍ଟିଂ ପରେ ଏକ ବିଶାଳ ପଥର 2 ଜଣଙ୍କ ଉପରେ ପଡିବାରୁ ସେମାନେ ଚାପି ହୋଇଯାଇଥିଲେ l ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା ।
ଇଟିଭି ଭାରତ, ବ୍ରହ୍ମପୁର