ବ୍ରହ୍ମପୁର: ଟ୍ରେନ ଅଛି । ଯାତ୍ରୀଙ୍କ ଟିକେଟ କନଫର୍ମ ମଧ୍ୟ ହୋଇଛି । କିନ୍ତୁ କନଫର୍ମ ହୋଇଥିବା ନିର୍ଦ୍ଦିଷ୍ଟ ବଗି ଟ୍ରେନରେ ନାହିଁ । ଏଭଳି ଏକ ଘଟଣା ପ୍ରଶାନ୍ତି ଏକ୍ସପ୍ରେସରେ ଘଟିଥିବା ବେଳେ ଏହାର ଏକ୍ସକ୍ଲୁସିଭ ରିପୋର୍ଟ ଇଟିଭି ଭାରତ ହାତରେ ଲାଗିଛି । ରେଳ ବିଭାଗର ଏଭଳି ସାଂଘାତିକ ତ୍ରୁଟି ଯୋଗୁ ପାଖାପାଖି 38 ଜଣ ଯାତ୍ରୀ ସମସ୍ୟା ଭୋଗିଛନ୍ତି ଓ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାର ପିପିଲି ଅଞ୍ଚଳର ଗଜଲକ୍ଷ୍ମୀ ୟୁଥ୍ କ୍ଲବ ଆସୋସିଏସନ୍ କମିଟିର ୩୮ ଜଣ ସଦସ୍ୟ ପ୍ରଶାନ୍ତି ଏକ୍ସପ୍ରେସରେ ଖୋର୍ଦ୍ଧାରୁ ବାଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବା ପାଇଁ ଟ୍ରେନ ନଂ- ୧୮୪୬୩ର ପ୍ରଶାନ୍ତି ଏକ୍ସପ୍ରେସରେ ଗ୍ରୁପ ଟିକେଟ କରିଥିଲେ ଏବଂ ପିଏନଆରରେ ବଗି- ଏସ୍.ଏକ୍ସ -୧ ଠାରୁ ୩୮ ନମ୍ୱର ପର୍ଯ୍ୟନ୍ତ ସେମାନଙ୍କ ଟିକେଟ ମଧ୍ୟ ରେଳ ବିଭାଗ ପକ୍ଷରୁ କନଫର୍ମ କରାଯାଇଥିଲା । ହେଲେ ଖୋର୍ଦ୍ଧା ଷ୍ଟେସନରୁ ସେମାନେ ଟ୍ରେନରେ ଚଢିବା ବେଳେ ସେଭଳି କୌଣସି କୋଚ ନଥିବା ଜାଣିବାକୁ ପାଇଥିଲେ । ସେହି ଟ୍ରେନରେ ସେଭଳି କୌଣସି କୋଚ ନଥିବା ଜଣାପଡିଥିଲା ।
ଏହାମଧ୍ୟ ପଢନ୍ତୁ.. ବଜାର ଭିତରେ ପସିଲା ଟ୍ରେନ୍ ବଗି, ସ୍ଥାନୀୟ ଲୋକେ ଭୟଭୀତ
ଏଥିରେ କ୍ଷୋଭ ପ୍ରକାଶ କରିବା ସହ ପ୍ରଶାନ୍ତି ଏକ୍ସପେସକୁ ଅଟକାଇ ସେମାନେ ଉକ୍ତ ଟ୍ରେନରେ ଯାତ୍ରା କରିବାକୁ ରହିଥିବା ଯାତ୍ରୀଙ୍କୁ ସିଟ୍ ଆଲାର୍ଟମେଣ୍ଟ କରିବାକୁ ଦାବି କରିଥିଲେ ।ଏଭଳି ସମୟରେ ଟ୍ରେନରେ ସିଟ୍ ଆଲର୍ଟମେଣ୍ଟ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କୁ ସେମାନଙ୍କ ଆଲର୍ଟମେଣ୍ଟ ହୋଇଥିବା ସିଟ୍ ପ୍ରଦାନ ନକରି ପାରି ଏକ ପ୍ରକାର ନିରୁପାୟ ରହିଥିବା ରେଳ କର୍ତ୍ତୃପକ୍ଷ ଶେଷରେ ଏକ ଲିଖିତ ଆକାରରେ କେବଳ ପ୍ରଦାନ କରି ବିଶାଖାପାଟଣାରେ ଅନ୍ୟ ଏକ କୋଚ୍ ସଂଯୋଗ କରି ଦିଆଯାଇ ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହି କନଫର୍ମ ଟିକେଟ ରହିଥିବା ଯାତ୍ରୀ ମାନଙ୍କ ମଧ୍ୟରୁ କେତେକଙ୍କ ଅସ୍ଥାୟୀ ଭାବରେ ପେଣ୍ଟିକାର ଏସି ବଗି ସମେତ ଅନ୍ୟ କେତେକ ବଗିରେ ରହିଥିବା ଅନ୍ୟ ଯାତ୍ରୀଙ୍କ ପାଖରେ ବସି ଯିବା ପାଇଁ କୁହାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ଟ୍ରେନ ଯାତ୍ରୀ ମାନେ ।
ରେଳବିଭାଗର ଏଭଳି ଦାୟିତ୍ବହୀନତା ପାଇଁ ପିପିଲି ଅଞ୍ଚଳର ଗଜଲକ୍ଷ୍ମୀ ୟୁଥ୍ କ୍ଲବ ଆସୋସିଏସନ୍ କମିଟିର କର୍ମକର୍ତ୍ତା ଅଶୋକ କୁମାର ଅଗ୍ରୱାଲ ଇଟିଭି ଭାରତର ସହିତ ଏକ୍ସକ୍ଲୁସିଭ୍ ଆଲୋଚନା ସମୟରେ କ୍ଷୋଭ ପ୍ରକାଶ କରିଛନ୍ତି ।
ଟ୍ରେନରେ ଯାତ୍ରା ସମୟରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ପୂର୍ବରୁ ନଜିର ରହିଥିବା ବେଳେ ଏଭଳି ପ୍ରଥମ ଥର ପାଇଁ ଟ୍ରେନ ଅଛି ଟିକେଟ କନଫର୍ମ ହୋଇଛି କିନ୍ତୁ ନିର୍ଦ୍ଦିଷ୍ଟ ବଗି ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀମାନେ । ଏ ନେଇ ବ୍ରହ୍ମପୁର ରେଳଷ୍ଟେସନ ରେ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ ପହଞ୍ଚିବା ପରେ ଅସନ୍ତୋଷ ପ୍ରକାଶ କରିଥିବା ଯାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।
ଇଟିଭି ଭାରତ, ବ୍ରହ୍ମପୁର