ବ୍ରହ୍ମଗିରି: ଶ୍ରୀ ଜଗନ୍ନାଥଙ୍କୁ ଜ୍ବର ହେବା ପରେ ତାଙ୍କର ଚାଲିଛି ଗୁପ୍ତ ସେବା । ଏହି 15 ଦିନ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ(Alarnath Temple in Brahmagiri ) ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଶନିବାର ଦିନ ଥିଲା ଦର୍ଶନର ଏକାଦଶ ଦିବସ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଗରୁ ପ୍ରଶାସନ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତ ରହିଥିଲା । ଏତେମାତ୍ରାରେ ଭକ୍ତଙ୍କ ସମାଗମ ହୋଇଥିଲା ଯାହାଫଳରେ ଭକ୍ତ ମାନେ ଧାଡିରେ ଆସି ଦର୍ଶନ କରୁଥିବା ଦେଖାଯାଇଥିଲା ।
କିନ୍ତୁ, ପୋଲିସର ନିଷ୍କ୍ରିୟତା ହେତୁ ମନ୍ଦିର ଅଗଣାରେ ଭକ୍ତମାନେ ରୁଣ୍ଡ ହୋଇ ପ୍ରସ୍ଥାନ ଦୁଆର ପଟେ ଭକ୍ତ ମାନେ ଧସେଇ ପ୍ରବେଶ କରିଥିଲେ । ଧାଡିରେ ଥିବା ଭକ୍ତମାନେ ଏହାକୁ ବିରୋଧ କରିଥିବା ଦେଖାଯାଇଥିଲା । କିନ୍ତୁ, ପୋଲିସ ପ୍ରଶାସନ ଏଥିରେ ନିରବ ରହି ବେଆଇନ ଭାବେ ପ୍ରବେଶକୁ ସମର୍ଥନ କରୁଥିବା ଭଳି ମନେହେଉଥିଲା ।
ବେଆଇନ ପ୍ରବେଶ ଫଳରେ ପ୍ରସ୍ଥାନ ଦୁଆରେ ଶହଶହ ଲୋକଙ୍କ ଭିଡ଼ ହୋଇଥିଲା । ଏହାର ସୁଯୋଗ ନେଇ ଚୋରମାନେ ସକ୍ରିୟ ହୋଇ ଉଠିଥିଲେ । ଯାହାଫଳରେ ଭକ୍ତଙ୍କ ଠାରୁ 8ଟି ମୋବାଇଲ 5ଟି ମନିପର୍ସ ଏବଂ ଗୋଟିଏ ସୁନା ଚେନ୍ ଚୋରି ହୋଇଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି । ମନ୍ଦିର ନିକଟରେ ଥିବା ଅସ୍ଥାୟୀ ଫାଣ୍ଡିରେ ଅଭିଯୋଗ କଲେ ମଧ୍ୟ ଚୋରି ହୋଇଥିବା ଭକ୍ତଙ୍କୁ ପୋଲିସ ନିରାଶ କରିଛି । ମନ ଦୁଃଖରେ ବାହାରୁ ଆସିଥିବା ଭକ୍ତ ମାନେ ଫେରିଥିଲେ ।
ଇଟିଭି ଭାରତ, ବ୍ରହ୍ମଗିରି