ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ସାରୁଆସାହିର ଏକ ଭଡ଼ା ଘରୁ ଜଣେ ଅଣଓଡିଆ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ତେଲେଙ୍ଗାନା ରାଜ୍ୟର ନାକ୍ରକାନ୍ତି ଦାବିନ୍ଦର ବୋଲି ଜଣାପଡିଛି । ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଦୁଇ ବର୍ଷରୁ ଅଧିକ ଦିନ ହେବ କ୍ଷେତ୍ର ପରିଦର୍ଶକ ଭାବେ କାର୍ଯ୍ୟରତ ଥିବା ପ୍ରାଥମିକ ଭାବେ ତଦନ୍ତରୁ ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇଁ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ ।
ମିଳିଥିବା ସୂଚନା ଅନୁସାରେ,ନାକ୍ରକାନ୍ତି ଦାବିନ୍ଦର ସୋରଡା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ କାର୍ଯ୍ୟ କରି ଆସୁଥିବାବେଳେ ପରିବାର ସହିତ ସବୁବେଳେ ଯୋଗାଯୋଗରେ ରହୁଥିବାବେଳେ ଦୁଇ ଦିନ ହେବ ସେ ପରିବାର ସଦସ୍ୟଙ୍କ ସହ କଥା ହେଉନଥିଲେ । ତେବେ ଏ ସମ୍ପର୍କରେ ତାଙ୍କ ବାପା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କର୍ମଚାରୀଙ୍କୁ ଫୋନ କରି ପଚରାଉଚରା କରିଥିଲେ । ତେବେ କୌଣସି ସମସ୍ୟା ହୋଇଥିବା ଆଶଙ୍କା କରି ସେ ତାଙ୍କ ସହଯୋଗୀ କର୍ମଚାରୀଙ୍କୁ ନାକ୍ରକାନ୍ତି ରହୁଥିବା ଘରକୁ ଯାଇ ତଦାରଖ କରିବାକୁ ମଧ୍ୟ କହିଥିଲେ ।
ପରେ ବ୍ୟାଙ୍କର ଅନ୍ୟ ଜଣେ କର୍ମଚାରୀ ନାକ୍ରକାନ୍ତି ଘରେ ପହଞ୍ଚିବା ପରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ପାଇଥିଲେ । ସ୍ଥାନୀୟ ଲୋକଙ୍କୁ ଏ ସମ୍ପର୍କରେ ଜଣାଇବା ସହ ସେ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବ୍ୟାଙ୍କର ମୁଖ୍ୟ ପରିଚାଳକ ଛୁଟିରେ ଥିବାରୁ ଭାରପ୍ରାପ୍ତ ପରିଚାଳକ ଭାବେ ମଧ୍ୟ ଦାୟିତ୍ବ ତୁଲାଉଥିଲେ ନାକ୍ରକାନ୍ତି ଦାବିନ୍ଦର । ପରିବାର ସଦସ୍ୟ ପହଞ୍ଚିବା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି କହିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ