ଭଞ୍ଜନଗର: ଦୁର୍ଗମ ଅଞ୍ଚଳର ମାଓବାଦୀ ଗଡ଼ ଭାବେ ପରିଚିତ ସାରା ପାଢ଼ୀ, ଦୁଦୁବୁରୀ ଗ୍ରାମକୁ ପଡି଼ଲା ବିକାଶର ପାଦ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୌଡ଼ଗୋଠ ପଞ୍ଚାୟତର ପଦ୍ମା ନଦୀରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ । ଏହି ସେତୁ ସହିତ ୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୩ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି ।
ଏହାସହିତ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୨ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ପଦ୍ମା ନଦୀର ଅପର ପାର୍ଶ୍ବରେ ନୁଆସାହି, ଗୁଡିପଙ୍କା, ଲାକାପଙ୍କା, ରଙ୍ଗମାଟି, ପଦ୍ମାନଗର, ଦୁଦୁବୁରି, ସାରାପାଢ଼ୀ ଏହି ଭଳି ୨୦ ଖଣ୍ଡ ଗ୍ରାମର ଲୋକମାନେ ଉପକୃତ ହେବେ । ଦୀର୍ଘବର୍ଷ ହେଲା ଏହି ଆଦିବାସୀ ମାନେ ସେତୁଟିଏ ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦାବି କରିଆସୁଥିଲେ । ସେମାନଙ୍କର ଏହି ସ୍ବପ୍ନ ଆଜି ପୂରଣ ହୋଇଛି ବୋଲି ଆଦିବାସୀ ମାନେ କହିଛନ୍ତି ।
ଏହି ଦୁର୍ଗମ ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ଥିବାରୁ ସରକାରୀ ବାବୁଙ୍କ ପାଦ ପଡୁନଥିଲା । ଏବେ ମାଓବାଦୀଙ୍କ ଭୟ ନଥିବାରୁ ଏହି ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ବିକାଶ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । କୋରୋନା କଟକଣାକୁ ଖାତିର ନ କରି ପଞ୍ଚାୟତର ବହୁ ସଂଖ୍ୟାରେ ଲୋକମାନେ ଜମା ହୋଇ ବିଧାୟକଙ୍କୁ ପାଛୋଟି ନେଇଥିବା ଦେଖିବାକୁ ମିଳିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ