ବ୍ରହ୍ମପୁର: ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଯବାନଙ୍କ ଜୀବନ । ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରିବା ସହିତ ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସଂଘବଦ୍ଧ ଆକ୍ରମଣରେ ଯବାନ ଜଣକ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।
ଗତ ଡିସେମ୍ୱର 3 ତାରିଖରେ ରବିବାର ଦିନର ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ଗୋପାଳପୁରରୁ ଖେଳଦେଖି ଫେରୁଥିବା ବେଳେ ଚମାଖଣ୍ଡି ଥାନା ଅନର୍ଗତ ହରିପୁର ଛକଠାରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ । ପରିବାର ଲୋକ ଖବର ପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ପୋଲିସ ପକ୍ଷରୁ ମାମଲା ନଂ-୪୪୧/୨୩ ରୁଜୁ ହୋଇଛି । ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ଘଟଣାରେ ସଂପୃକ୍ତ ଜଣେ ଅଭିୟୁକ୍ତକୁ ଅଟକ ରଖିଥିବା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ.....ଫାଷ୍ଟଫୁଡ ମାଲିକଙ୍କୁ ହତ୍ୟା ଘଟଣା, ନାବାଳକ ଅଟକ
ସୂଚନାନୁଯାୟୀ ସେନାରେ କାର୍ଯ୍ୟରତ ଯବାନ ଜେ.ଡିଲେଶ୍ୱରଙ୍କ ଦୀର୍ଘ ବର୍ଷ ହେଲା ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟ କରି ଆସୁଥବାବେଳେ ଗତ କିଛିଦିନ ତଳେ ସେ ତାଙ୍କ ଗ୍ରାମକୁ ଛୁଟିରେ ଆସିଥିଲେ । ଗତ ୩ ତାରିଖରେ ଗୋପାଳପୁରରୁ ସେ ଘରକୁ ଫେରୁଥିବା ବେଳେ ହରିପୁର ଛକ ଠାରେ କେତେକ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ । ଯାହାକି ଅଚେତ୍ ଅବସ୍ଥାରେ ଯବାନ ଜଣଙ୍କ ପଡି ରହିଥିବାବେଳେ ତାଙ୍କ ମୁଣ୍ଡ ଏବଂ କାନକୁ ଗଭୀର ଆଘାତ ଲାଗିଥିବା ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଳରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥବା ସୂଚନା ମିଳିବା ପରେ ଯବାନଙ୍କ ପୈତୃକଗ୍ରାମ କାଳିପଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ହେଲେ ହତ୍ୟାର କାରଣ ସ୍ପଷ୍ଟ ଭାବେ ଜାଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନେ ଗିରଫ ହେଲା ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଗଞ୍ଜାମ ଏସପି ।
ଇଟିଭି ଭାରତ, ବ୍ରହ୍ମପୁର