ବ୍ରହ୍ମପୁର: ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ନେଇ ସସପେନ୍ସ ଲାଗି ରହିଛି । ରାୟଗଡାରୁ କିଏ ଓ କାହିଁକି ତାଙ୍କୁ ଅପହରଣ କଲା, ତା' ଉପରୁ ପରଦା ହଟୁନି । ଏହାରି ଭିତରେ ସାମନ୍ତରା ଗତକାଲି(ବୁଧବାର) ବ୍ରହ୍ମପୁର ଠାରେ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୋ ପ୍ରତି ଯେଉଁ ଅନ୍ୟାୟ ହେଲା ଓ ମୋର ବ୍ୟକ୍ତିଗତ ସ୍ବାଧୀନତା ଉପରେ ଆକ୍ରମଣ ହେଲା ତାହାର ତଦନ୍ତ ହେଉ । ପୋଲିସ ହିଁ ତାଙ୍କୁ ଉଠାଇ ନେଇଥିବା ସେ ସନ୍ଦେହ କରୁଛନ୍ତି । ତେବେ ଯଦି ଅପହରଣ ପଛରେ ପୋଲିସ ନାହିଁ ତା'ହେଲେ କିଏ କରିଛି ତାହାର ତଦନ୍ତ କରାଯିବା ପାଇଁ ସେ ଦାବି କରିଛନ୍ତି । ଏଥିପାଇଁ ସେ ସ୍ପିଡ୍ ପୋଷ୍ଟରେ ଏତଲା ପଠାଇଥିବା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲାରେ ବେଦାନ୍ତ ଓ ମୈତ୍ରୀ କମ୍ପାନୀର ଖଣି ଖନନକୁ ସ୍ଥାନୀୟ ଲୋକେ ବିରୋଧରେ କରିବାରୁ ପୋଲିସ ମିଥ୍ୟା ମାମଲାରେ ସେମାନଙ୍କୁ ଗିରଫ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ମଙ୍ଗଳବାର ରାୟଗଡାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥାନ୍ତେ । ହେଲେ ତା' ପୂର୍ବରୁ ସେ ରହୁଥିବା ହୋଟେଲ ରୁମରୁ ତାଙ୍କୁ ରହସ୍ୟଜନକ ଭାବେ ଉଠାଇ ନିଆଯାଇଥିଲା । ହାତ, ମୁହଁକୁ ବାନ୍ଧି ଏକ ଗାଡିରେ ବସାଇ ବ୍ରହ୍ମପୁର ବାସଭବନରେ ଛାଡି ଦିଆଯାଇଥିଲା । ତେବେ ସାମ୍ବାଦିକ ସମ୍ମିଳନୀରେ ପୋଲିସର ବେଆଇନ କାର୍ଯ୍ୟ ଓ ଦମନଲୀଳା ସମ୍ପର୍କରେ କହିବାର ଥିବାରୁ ସାମନ୍ତରାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।
ଏହାକୁ ନେଇ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ରାୟଗଡା ଜିଲ୍ଲାରେ ମୂଲ୍ୟବାନ ପ୍ରାକୃତିକ ସମ୍ପଦକୁ ବଡ ବଡ ଘରୋଇ କମ୍ପାନୀ ହାତରେ ଟେକି ଦେଉଛନ୍ତି । କେନ୍ଦ୍ରର ବିଜେପିର ସରକାର ମଧ୍ୟ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଏବଂ ଜଙ୍ଗଲ ସଂରକ୍ଷଣ ନିୟମାବଳୀରେ ସଂଶୋଧନ କରି କମ୍ପାନୀମାନଙ୍କୁ ଜଙ୍ଗଲ ଜମି ହସ୍ତାନ୍ତରର ପଥ ପରିଷ୍କାର କରିଛନ୍ତି । ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କ ପାଇଁ ଉଦ୍ଦିଷ୍ଟ ଜଙ୍ଗଲ ଅଧିକାର ଆଇନ-୨୦୦୬, ପେସା ଆଇନ ୧୯୯୬କୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରି ସରକାର ରାଜ୍ୟର ବକ୍ସାଇଟ୍, ଲୁହାପଥର, କୋଇଲା ଆଦି ଖଣିଜ ସମ୍ପଦ ଥିବା ଜଙ୍ଗଲ ଓ ପାହାଡ଼ ଗୁଡ଼ିକୁ ହସ୍ତାନ୍ତର କରିଚାଲିଛନ୍ତି । ସ୍ଥାନୀୟ ଲୋକଙ୍କ ବିନା ମତାମତରେ ଗାଁର ପାହାଡ ଓ ଜଙ୍ଗଲକୁ ବଳପୂର୍ବକ ଅକ୍ତିଆର କରିବାକୁ ଚେଷ୍ଟା କରିବା ଫଳରେ ରାୟଗଡ଼ା ଜିଲ୍ଲାର ସିଜିମାଳି, କୁଟୁମାଳି, ନିୟମଗିରି, କୋରାପୁଟ ଜିଲ୍ଲାର ମାଳିପର୍ବନ, ଦେଓମାଳି ଆଦି ବିଭିନ୍ନ ସ୍ଥାନରେ ସଂଘର୍ଷ ପରିସ୍ଥିତି ସୃଷ୍ଟି ହୋଇଛି ।
ଏହାମଧ୍ୟ ପଢନ୍ତୁ: ରାୟଗଡାରୁ ଅପହରଣ କରି ବ୍ରହ୍ମପୁରରେ ଛାଡ଼ିଦେଲେ: ପ୍ରଫୁଲ୍ଲ ସାମନ୍ତରାୟ
ଖଣି ଖନନକୁ ସ୍ଥାନୀୟ ଲୋକେ ବିରୋଧ କଲେ ସେମାନଙ୍କ ବିରୋଧରେ ୟୁଏପିଏ ଲଗାଇ ମନଇଚ୍ଛା ଗିରଫ କରାଯାଉଛି । ଅଗଷ୍ଟ ପ୍ରଥମ ସପ୍ତାହରେ ନିୟମଗିରି ସୁରକ୍ଷା ସମିତିର ସଭ୍ୟ କୃଷ୍ଣ ସିକାକା ଓ ବାରି ଶିକାକାଙ୍କୁ ପୋଲିସ ରାସ୍ତାରୁ ବେଆଇନ ଭାବେ ଉଠାଇ ନେଇ ଅଜଣା ସ୍ଥାନରେ ରଖିବା ବିରୋଧରେ ସ୍ଥାନୀୟ କଲ୍ୟାଣସିଂପୁର ଥାନା ସମ୍ମୁଖରେ ବିକ୍ଷୋଭ ହୋଇଥିଲା । ପରେ ପୋଲିସ ବାରିକୁ ଛାଡ଼ିଦେଇ କୃଷ୍ଣଙ୍କୁ ଏକ ମିଛ ମାମଲାରେ ଗିରଫ କରି ଜେଲକୁ ପଠାଇଥିଲା । କମ୍ପାନୀ ସ୍ଵାର୍ଥରେ ରାୟଗଡ଼ା ପୋଲିସ ୟୁଏପିଏ ଆଇନର ଦୁରୁପଯୋଗ କରି ସେଠାକାର ଆଦିବାସୀ ଓ ଦଳିତ ଲୋକଙ୍କ ଉପରେ ଦମନଲୀଳା ଚଳାଇଛି ବୋଲି ଅଭିଯୋଗ କରାଯାଇଛି ।
କାଶୀପୁର ବ୍ଲକର ସିଜିମାଳି ଓ କୃଟୁମାଳିକୁ ଜଙ୍ଗଲ ଅଧିକାର ଆଇନ -୨୦୦୬ ଅନୁଯାୟୀ ଗ୍ରାମସଭାର ବିନା ଅନୁମତିରେ ଲିଜ୍ ଦିଆଯାଇଛି । ସେଥିପାଇଁ ଆଦିବାସୀମାନେ ନିଜ ଭିଟାମାଟିର ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଛନ୍ତି । କିନ୍ତୁ ସେ ଅଞ୍ଚଳରେ ଖଣି ଖନନ ପୂର୍ବରୁ ଜନଶୁଣାଣୀ, ଗ୍ରାମସଭା ଆଦି ପ୍ରକ୍ରିୟା ଆରମ୍ଭ ହୋଇନଥିବା ବେଳେ ବେଦାନ୍ତ ଓ ତା’ର ସହଯୋଗୀ ମୈତ୍ରୀ କମ୍ପାନୀକୁ ସରକାର ସେହି ଅଞ୍ଚଳରେ ପଶି ଲୋକଙ୍କୁ ଆତଙ୍କିତ କରିବାକୁ ଏବଂ ପ୍ରଲୋଭିତ କରିବାକୁ ସୁଯୋଗ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାକୁ ବିରୋଧ କରିବା ନେଇ ଏବେ ସୁଦ୍ଧା ସାରମ୍ବାଇ, ବନ୍ତେଜୀ ସମେତ ଅନେକ ଗ୍ରାମର ୨୧ ଜଣଙ୍କୁ ନିରୀହ ଗ୍ରାମବାସୀଙ୍କୁ ଗିରଫ କରାଯାଇଛି । କମ୍ପାନିର ସ୍ବାର୍ଥ ପାଇଁ ଆନ୍ଦୋଳନକାରୀଙ୍କୁ ବିଜେଡି ସରକାର ଗିରଫ କରୁଥିବା ସାମାଜିକ କର୍ମୀ କହିଛନ୍ତି ।
କାଶୀପୁର ଓ ନିୟମଗିରିରେ ଗିରଫ ହୋଇ ଜେଲରେ ଥିବା ସମସ୍ତ ଖଣି ବିରୋଧୀ ବ୍ୟକ୍ତିମାନଙ୍କୁ ମୁକ୍ତ କରାଯିବା ସହ ସମସ୍ତଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଏହାସହିତ ବିନା ଗ୍ରାମସଭାର ଅନୁମତିରେ ଦିଆଯାଇଥିବା ସମସ୍ତ ଖଣି ଲିଜ ପ୍ରତ୍ୟାହାର କରାଯାଉ ବୋଲି ମଧ୍ୟ ଦାବି ହୋଇଛି ।
ଇଟିଭି ଭାରତ, ବ୍ରହ୍ମପୁର