ବ୍ରହ୍ମପୁର: ଭିଜିଲାନ୍ସ ପଞ୍ଝାରେ ଗ୍ରାମ ଉନ୍ନୟନ ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।
ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ସହରର ଗଜପତି ନଗର ଅଷ୍ଟମ ଲାଇନରେ ରହିଥିବା ଚାରି ମହଲା କୋଠା ସମେତ ଗଜପତି ନଗର ୧୧ ଲାଇନରେ ରହିଥିବା ପାଞ୍ଚ ମହଲା କୋଠା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସେହିପରି ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ଥିବା ସରକାରୀ କାର୍ଯ୍ୟାଳୟ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ପୁଟବଗଡ ଠାରେ ଥିବା ପୈତୃକ ବାସଭବନ ଏବଂ ରାଜଧାନୀ ଭୁବନେଶ୍ଵର ଏ.ଆଇ.ଆଇ.ଏମ୍.ଏସ୍ ନଗର ତୃତୀୟ ଲାଇନରେ ଥିବା ଚାରି ମହଲା ବିଶିଷ୍ଟ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉରେ ଭିଜିଲାନ୍ସ ବିଭାଗର ପାଞ୍ଚଟି ଟିମ୍ ସାମିଲ ରହିଛନ୍ତି । ଜଣେ ଅତିରିକ୍ତ ଏମ୍.ପି, ଚାରି ଜଣ ଡି.ଏସ୍.ପି ଏବଂ ୧୦ ଜଣ ପୋଲିସ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଜଗନ୍ନାଥ ସେଠୀଙ୍କ ବ୍ରହ୍ମପୁର ବାସଭବନରୁ ଜବତ ହୋଇଥିବା ବେଳେ ଅଧିକ ଖୋଳତାଡ ଜାରି ରହିଛି ।
![u](https://etvbharatimages.akamaized.net/etvbharat/prod-images/od-bbs-01-vigilance-raid-avo-ptc-7203832_09032022122524_0903f_1646808924_856.jpg)
ଅନ୍ୟପଟେ ଭୁବନେଶ୍ବର ଏମ୍ସ ରୋଡ ସ୍ଥିତ ଘରେ ଭିଜିଲାନ୍ସ ରେଡ ପାଇଁ ପହଞ୍ଚିଥିବାବେଳେ ଘର ଲୋକ ଭିତରପଟୁ ନିଜକୁ ବନ୍ଦ କରିଦେଇଥିଲେ। ଏପରିକି ଭିଜିଲାନ୍ସ ସର୍ଚ୍ଚ ଓ୍ଵାରେଣ୍ଟ ଦେଖାଇବା ସତ୍ବେ ସେମାନେ କବାଟ ଖୋଲି ନଥିବା ଜଣାପଡ଼ିଛି। ତେବେ ଡୋର ଲକକୁ ଟିମ ପକ୍ଷରୁ ଭାଙ୍ଗିବାକୁ ପଡ଼ିଥିଲା। ଭିଜିଲାନ୍ସ ଡ୍ୟୁଟିରେ ବାଧାଦେବା ନେଇ କାର୍ଯାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ଟିମ ପକ୍ଷରୁ ସୂଚନା ମିଳିଛି।
![ବିଦ୍ୟୁତ୍ ବିଭାଗ ନିର୍ବାହୀଯନ୍ତ୍ରୀ](https://etvbharatimages.akamaized.net/etvbharat/prod-images/od-bam-vigilance-raid-7205524_09032022105811_0903f_1646803691_881.jpg)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଓ ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ