ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଦ୍ଧେଶ୍ଵରଠାରେ ଆୟୋଜିତ ହୋଇଯାଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡରୁ ରାଜ୍ୟସଭା ସାଂସଦ ଡ଼ା କଳ୍ପନା ସୈନୀ ଯୋଗ ଦେଇଥିଲେ । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ କେନ୍ଦ୍ରର ମୋଦି ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ତା’ ସହ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଭିନ୍ନ ବିଷୟରେ ଗୁରୁତ୍ୱ ଦିଆଯାଇଥିବା କହିଥିଲେ ।
ସେପଟେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚୁଥିବା ବେଳେ ଏହା ଏକ ମହତ୍ ଉଦ୍ଦେଶ୍ୟ ରଖି କରାଯାଇଛି । ଏହି ଯାତ୍ରା ମାଧ୍ୟମରେ ସାରା ଦେଶରେ ଯେଉଁ ହିତାଧିକାରୀମାନେ କୌଣସି ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ସୁବିଧା ଯୋଗାଇ ଦିଆଯାଇପାରିବ । ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ପ୍ରଧାନମନ୍ତ୍ରୀ ରହିଥିବା ବେଳେ ଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଚାହୁଁଥିବା ବିଷୟକୁ ଏଠାରେ ଅବଗତ କରାଯାଇଥିଲା ବୋଲି କହିଛନ୍ତି ସାଂସଦ । ତେବେ ଏହି କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ସାହୁ, ବିଜେପି ନେତା ଉତ୍ତମ ପାଣିଗ୍ରାହୀ, ଶ୍ରୀକାନ୍ତ ପାଢ଼ୀ, ମହନ୍ତ ଚିହ୍ନୟାନନ୍ଦ ମହାରାଜଙ୍କ ସମେତ ବ୍ଳକର ଅଧିକାରୀ ଉପସ୍ଥିତ ରହିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ
ନଭେମ୍ବର 15 ତାରିଖରେ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରଠାରୁ କୋଟିଏରୁ ଊର୍ଦ୍ଧ୍ବ ଲୋକ ଏହି ଯାତ୍ରାରେ ଯୋଡ଼ି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଏହି ଯାତ୍ରାରେ ଜଡିତ ସାରା ଦେଶର ହିତାଧିକାରୀଙ୍କ ସହ କଥା ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା 4 ଥର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ହିତାଧିକାରୀଙ୍କ ସହ କଥା ହୋଇସାରିଛନ୍ତି । ସେ ନଭେମ୍ବର 30, ଡିସେମ୍ବର 9, ଡିସେମ୍ବର 16 ଓ 27 ତାରିଖରେ କଥା ହୋଇଥିଲେ ।
ଚଳିତ ବର୍ଷରେ ପ୍ରଥମ ଥର ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି । ଡିସେମ୍ବର 16 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ଶୁଭାରମ୍ଭ କରିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର