ବ୍ରହ୍ମପୁର: ଗତ କିଛି ବର୍ଷ ଧରି କ୍ରମାଗତ ଭାବରେ ନାଳନର୍ଦ୍ଧମା ସମସ୍ୟା ମଧ୍ୟରେ ଛନ୍ଦି ହୋଇ ରହିଛନ୍ତି ସହରତଳି ଖାରବେଳନଗର ବାସିନ୍ଦା । ବ୍ରହ୍ମପୁରର ଏହି ସହରିତଳି ଅଞ୍ଚଳରେ ପ୍ରାୟ ୫୦୦ ପରିବାର ରହିଆସୁଥିବା ବେଳେ ନାଳନର୍ଦ୍ଧମାର ଜଳ ସଠିକ୍ ଭାବରେ ନିଷ୍କାସନ ହେଉ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସ୍ଥାନୀୟ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡୁ ନ ଥିବା କହିଛନ୍ତି ଅଞ୍ଚଳ ବାସିନ୍ଦା ।
ତେବେ ସହରର ପରିବର୍ଦ୍ଧିତ ପରିସୀମା ମଧ୍ୟରେ ସହରତଳି ଅଞ୍ଚଳରେ ବହୁ ପ୍ରଶାସନିକ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣ ରହି ଆସୁଛନ୍ତି । ସେହିପରି ସାମାନ୍ୟ ବର୍ଷାରେ ନାଳ ନର୍ଦ୍ଧମାର ଜଳ ମନଧ୍ୟ ଘର ମଧ୍ୟରେ ପଶିବା ଭଳି ଘଟଣା ଦେଖିବାକୁ ମିଳିଛି । ହେଲେ ଏଠାକାର ବିଭିନ୍ନ ସମସ୍ୟା ପ୍ରତି କୌଣସି ଗୁରୁତ୍ୱ ଦିଆଯାଉ ନ ଥିବା ନେଇ ଅନେକ ବାର ଅଭିଯୋଗ ହୋଇ ଆସୁଛି । ଏନେଇ ସ୍ଥାନୀୟ ବାସିନ୍ଦା ତୁରନ୍ତ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ମୁଖ୍ୟତଃ ସହରତଳି ଅଞ୍ଚଳର ବିଭିନ୍ନ ନାଳ ନର୍ଦ୍ଧମାରୁ ଆସୁଥିବା ଅପରିଷ୍କାର ଜଳ ବାହାନା ନାଳରେ ସଂଯୋଗ କରିବା ସହ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି ଖାରବେଳନଗର ବାସିନ୍ଦା ।
ଏନେଇ ଖାରବେଳନଗର ବାସିନ୍ଦା କହିଛନ୍ତି ଯେ, ଏହି ଅଞ୍ଚଳରେ ୫୦୦ରୁ ହଜାରେ ଘର ଅଛି । ଏଥିସହ ଏଠାରେ ବହୁ ପ୍ରଶାସନିକ ଓ ରାଜନୈତିକ ବ୍ୟକ୍ତି ଠାରୁ ଆରମ୍ଭ କରି ଏଠାରେ ବିଭିନ୍ନ ବର୍ଗର ଲୋକ ରହୁଛନ୍ତି । ଏଠାରେ ସମସ୍ତ ଲୋକ ଗୋଟିଏ ନାଳ ଉପରେ ନିର୍ଭର କରିଛନ୍ତି । ହେଲେ ଏହି ନାଳ ପାଣି ନିଷ୍କାସନ ହେବାର କୌଣସି ସୁବିଧା ନାହିଁ । ଯାହା ଫଳରେ ଏଭଳି ୫ ବର୍ଷ ଧରି ଏଠାକାର ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ସମସ୍ୟାକୁ ନେ ଇସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏଁ ଏହାର ସମାଧାନ ହୋଇପାରି ନାହିଁ ।
ଇଟିଭି ଭାରତ, ବ୍ରହ୍ମପୁର