ବ୍ରହ୍ମପୁର: ଯାତ୍ରୀବାହୀ ଯାନ ପାଇଁ ସରକାରଙ୍କ ରହିଛି ଅନେକ ନିୟମ । ଗାଡ଼ିରେ ପ୍ରାଥମିକ ଚିକିତ୍ସା କିଟ୍ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଜାରି କରିଛନ୍ତି ଗାଇଡଲାଇନ । ଏପରିକି ଏସବୁ ନିୟମକୁ କଡାକଡି ପାଳନ କରିବାକୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି । ହେଲେ ଏହି ନିୟମକୁ ଗାଡି ଚାଳକ ଓ ମାଲିକ ଫୁ କରୁଥିବା ଦେଖିବାକୁ ମିଳିଛି ।
ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁର । ଏଠାରୁ ରାଜ୍ୟ ସମେତ ପଡୋଶୀ ରାଜ୍ୟକୁ ନିୟମିତ ଭାବରେ ଯାତାୟାତ କରିଥାଏ ଅନେକ ଯାତ୍ରୀବାହୀ ଯାନ । ମୋଟରଯାନ ନିୟମ ଅନୁଯାୟୀ ପ୍ରତ୍ୟେକ ଗାଡ଼ିରେ ପ୍ରାଥମିକ ଚିକିତ୍ସା କିଟ୍ ରଖିବା ବାଧ୍ୟତାମୂଳକ ହୋଇଥିବା ବେଳେ ଏହାକୁ ବେଖାତିର କରୁଛନ୍ତି ଗାଡ଼ି ଚାଳକ । ଏପଟେ ଗାଡି ଚାଳକଙ୍କ ଠାରୁ ଆରମ୍ଭ କରି ବସର କର୍ମଚାରୀମାନେ କିଭଳି ଫାଷ୍ଟ ଏଡ୍ କିଟକୁ ବ୍ୟବହାର କରିବେ, ସେ ନେଇ ଦିଆଯାଇଛି ସଂପୂର୍ଣ୍ଣ ତାଲିମ। ହେଲେ ପରିତାପର ବିଷୟ ଅଧିକାଂଶ ଯାତ୍ରୀବାହୀ ଗାଡିରେ ଫାଷ୍ଟଏଡ କିଟ୍ ରଖାଯାଉନଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବ୍ରହ୍ମପୁର ବାସିନ୍ଦା ।
ମୋଟର ଯାନ ନିୟମ ଅନୁଯାୟୀ ପ୍ରତ୍ୟେକ ଗାଡ଼ିରେ ପ୍ରାଥମିକ ଚିକିତ୍ସା କିଟ୍ ରଖିବା ବାଧ୍ୟତାମୂଲକ ହୋଇଥିବା ବେଳେ କିଭଳି ବିନା ଫାଷ୍ଟ ଏଡ୍ କିଟରେ ଯାତ୍ରୀ ପରିବହନ କରୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ସେପଟେ ସହରରେ ନିୟମିତ ଭାବେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କଲେ ଏଭଳି ଉଲ୍ଲଂଘନକୁ ରୋକାଯାଇପାରିବ ବୋଲି କହିଛନ୍ତି ସହରବାସୀ । ଅନ୍ୟପଟେ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଅନେକ ସମୟରେ ଏଭଳି ବ୍ୟବସ୍ଥାର ଯାଞ୍ଚ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ଜାରି ରଖିବା ସହ ଯାତ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକିୟ ସମସ୍ତ ଉପକରଣ ଏବଂ ଫିଟନେସକୁ ନିୟମିତ ଭାବରେ ଯାଞ୍ଚ କରାଯିବ ବୋଲି କୁହାଯାଇଛି ।
ଲୋକଙ୍କୁ ସଚେତନ କରିବାକୁ ପ୍ରତିବର୍ଷ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା କରାଯାଉଛି । ତଥାପି କିଛି ଅମାନିଆ ଚାଳକ ଓ ମାଲିକଙ୍କ ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ