ଭଞ୍ଜନଗର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଗରିବ କଲ୍ୟାଣ ଯୋଜନାରୁ ବଞ୍ଚିତ ଅସହାୟ ପରିବାର । ପାଲ ତଳେ ବିତୁଛି ଦୁଇ ଶିଶୁଙ୍କ ସମେତ 4 ପ୍ରାଣୀ କୁଟୁମ୍ବଙ୍କ ଜୀବନ । ଏପରି ଏକ ଅସହାୟ ପରିବାରର ଦୁର୍ଦ୍ଦଶାର କରୁଣ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତର ତତାବାଲି ଗ୍ରାମରେ । ସ୍ଥାନୀୟ ବାସିନ୍ଦା ନରେନ୍ଦ୍ର ପଣ୍ଡାଙ୍କ ପରିବାର ଏବେ ସରକାରୀ ସହାୟତାରୁ ବଞ୍ଚିତ ହୋଇ ପାଲ ତଳେ ରହୁଛନ୍ତି ।
ଗାଁରେ ଦୁଇ ପୁଅ ଓ ସ୍ତ୍ରୀ ଝୁନୁ ପଣ୍ଡାଙ୍କୁ ନେଇ ରୁହନ୍ତି ନରେନ୍ଦ୍ର। ନରେନ୍ଦ୍ରଙ୍କୁ ଠିକ ଭାବେ ଦେଖାଯାଉ ନଥିବାରୁ ସେ କାମଧନ୍ଦା କରିପାରୁ ନାହାନ୍ତି। ଏପରି ସମୟରେ ତାଙ୍କ ପରିବାର ବାରମ୍ବାର ବନ୍ୟା, ବାତ୍ୟାର ସମ୍ମୁଖୀନ ହୋଇ ପଲଥିନ ତଳେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭ କରି ରାଜନେତା ସମସ୍ତଙ୍କୁ ଏହି ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ପାଇ ପାରି ନାହାନ୍ତି ନରେନ୍ଦ୍ର । କେବଳ ସରକାରୀ ରାସନ କାର୍ଡରେ ମିଳୁଥିବା 35 କେଜି ଚାଉଳରେ ଅତି ଦୟନୀୟ ଅବସ୍ଥାରେ ଚାଲୁଛି ପରିବାର l ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ମଧ୍ୟ ଘର ଖଣ୍ଡେ ପାଇବାକୁ ସକ୍ଷମ ହୋଇ ନାହାନ୍ତି ନରେନ୍ଦ୍ର । ଅନ୍ୟପଟେ ପରିବାରର ଏହି ଦୁରାବସ୍ଥା ମଧ୍ୟରେ ଦୁଇ ପିଲାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଗଲାଣି।
ଅନ୍ୟପଟେ ଏହି ଅସହାୟ ପରିବାରର ଦୁର୍ଦ୍ଦଶା ସମ୍ପର୍କରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସହ ଯୋଗାଯୋଗ କରିବାରୁ ଠିକ ସେ ସର୍ଭେ ହୋଇ ନଥିବାରୁ ସରକାରୀ ଘର ମିଳିବାରେ ସମସ୍ୟା ହେଉଥିବା କଥା କହିଛନ୍ତି । ଗୋପାଳପୁର ଶାସନ ପଞ୍ଚାୟତର 32 ଖଣ୍ଡ ପରିବାର ମଧ୍ୟରୁ 19 ଖଣ୍ଡ ପରିବାର ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି l ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ସର୍ଭେ ହେଲା ପରେ ନରେନ୍ଦ୍ରଙ୍କ ପରିବାର ସହିତ ଅନ୍ୟ ଯୋଗ୍ୟ ପରିବାର ମଧ୍ୟ ସରକାରୀ ଯୋଜନାରେ ସାମିଲ ହେବା ନେଇ ବିଧାୟକ କହିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ