ବ୍ରହ୍ମପୁର: କୋଭିଡ୍ ଆକ୍ରାନ୍ତ ମହିଳାଙ୍କ ଠାରୁ ଜନ୍ମ ନେଇଛି ଏକ ସୁସ୍ଥ ନବଜାତ ଶିଶୁ । ଜିଲ୍ଲାର ବ୍ରହ୍ମପୁର ସ୍ଥିତ ନଗର ଚିକିତ୍ସାଳୟ ପରିସରରେ କୋଭିଡର ଦ୍ୱିତୀୟ ଲହର ସମୟରେ ପ୍ରଥମ ସୁସ୍ଥ ଶିଶୁ ଜନ୍ମ ନେଇଥିବା ବେଳେ ଜିଲ୍ଲାର ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଗଞ୍ଜାମ ସହର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ କୋରୋନା ଆକ୍ରାନ୍ତ ଗର୍ଭବତୀ ମହିଳା ସୁସ୍ଥ ଛୁଆ ଜନ୍ମ ଦେଇଥିବା ଜଣା ପଡିଛି ।
ଏହା ଦ୍ୱିତୀୟ ଘଟଣା ବୋଲି ଜଣା ପଡ଼ିଥିବା ବେଳେ ଏହିପରି ସ୍ୱାସ୍ଥ ବିଭାଗର କାର୍ଯ୍ୟକୁ ନେଇ ଟୁଇଟ୍ କରି ଡାକ୍ତର ଓ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗଞ୍ଜାମ ମେଡ଼ିକାଲ ଅଫିସର ଡାକ୍ତର ପ୍ରିୟଦର୍ଶିନୀ ରାଉତରାୟଙ୍କ ତତ୍ତ୍ଵାବଧାନରେ ଆୟୁଷ ଡାକ୍ତର ବନଜ କର, ମହିଳା ସ୍ଵାସ୍ଥ୍ୟକର୍ମୀ ସୁଜାତା ମହାପାତ୍ର, କୁମାରୀ ନିରୂପମ ସିଂ ମହିଳାଙ୍କ ସନ୍ତାନ ପ୍ରସବ କରାଇଥିଲେ ।
ମହିଳା ଜଣଙ୍କ ଗଞ୍ଜାମ ବ୍ଳକର ସୁବଳୟା ପଞ୍ଚାୟତର ବୋଲି ଜଣାଯାଇଛି । ସେ କୋଭିଡରେ ଆକ୍ରାନ୍ତ ଥିବା ସତ୍ତ୍ବେ ମେଡ଼ିକାଲ କର୍ମଚାରୀ ମାନେ ଏଭଳି ସେବା ଯୋଗାଇଥିବା ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ