ବ୍ରହ୍ମପୁର: ଅଶାନ୍ତ ଗଞ୍ଜାମ ଜିଲ୍ଲାର ହଂସପୁର । ବ୍ୟବସାୟୀ ହତ୍ୟାକାଣ୍ଡ ସହ ଭାବି ପତ୍ନୀଙ୍କ ଆତ୍ମହତ୍ୟା କରିବା ଘଟଣା ପରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗ୍ରାମ ଏକ ପ୍ରକାର ଅଶାନ୍ତ ହୋଇରହିଛି । ଏହି ଘଟଣାରେ ଅଟକ ରଖିଥିବା ବ୍ୟକ୍ତିଙ୍କ ଘରେ ଲୁଟରାଜ ନେଇ ସୁରକ୍ଷା ମାଗିଲେ ପରିବାର ଲୋକେ ।
ସୂଚନାଅନୁସାରେ, ବୁଧବାର ରାତିରେ ଉକ୍ତ ହତ୍ୟାକାଣ୍ଡ ଘଟଣାରେ ପୋଲିସ ପକ୍ଷରୁ କରାଯାଉଥିବା ତଦନ୍ତରେ ଅଟକ ରଖାଯାଇଥିବା ବ୍ୟକ୍ତିବିଶେଷଙ୍କ ଘରେ ଲୁଟତରାଜ ହୋଇଛି । ଗ୍ରାମରେ ପୋଲିସ ଅନୁପସ୍ଥିତି ଯୋଗୁଁ ସୁରକ୍ଷା ଲୋଡିଛନ୍ତି ପରିବାର ବର୍ଗ । ସେପଟେ ଏହି ଘଟଣା ପରେ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ ଛତ୍ରପୁର ଥାନାରେ ପହଞ୍ଚି ଅଶାନ୍ତ ହଂସପୁର ଗ୍ରାମରେ ଘଟିଥିବା ଘଟଣାର ଉଚ୍ଚସ୍ତରୀୟ ପୋଲିସ ଅଧିକାରୀ ମାନଙ୍କୁ ନେଇ ଆଲୋଚନା କରିଥିଲେ । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଛତ୍ରପୁର SDPO ଓ ସମେତ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ:ଗଞ୍ଜାମରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା
ଉକ୍ତ ଘଟଣାକୁ ନେଇ ଗ୍ରାମରେ ଦିନକୁ ଦିନ ଜଟିଳ ହେବାରେ ଲାଗିଥିବା ବେଳେ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପାଖରେ ପୋଲିସ ଗିରଫ କରିପାରିନଥିବା ଦେଖାଯାଇଛି । ସେପଟେ ଅଟକ ବ୍ୟକ୍ତିଙ୍କ ଘରେ ପଶି ସାମୁହିକ ଭାବରେ ଲୁଟ କରିବା ସହ କାର, ମୋଟର ସାଇକେଲ, ଡାଲା ଅଟୋ ଭଙ୍ଗାରୁଜା କରିବା ଘଟଣା ପରେ ଅଟକ ବ୍ୟକ୍ତି ବିଶେଷଙ୍କ ପରିବାର ଛତ୍ରପୁର ଥାନାରେ ପହଞ୍ଚି ଉଚ୍ଚ ଅଧିକାରୀଙ୍କୁ ସାକ୍ଷାତ କରି ସୁରକ୍ଷା ଲୋଡିଛନ୍ତି । ଏପରିକି ହତ୍ୟା ଘଟଣାରେ ସନ୍ଦେହ ଘେରରେ ରହିଥିବା ବ୍ୟକ୍ତିମାନଙ୍କ ପରିବାରକୁ ଗ୍ରାମରୁ ସଂପୂର୍ଣ୍ଣ ଭାବେ ତଡିବା ଲାଗି ଗ୍ରାମର ମହିଳା ମାନେ ଜିଦ୍ ଧରିଛନ୍ତି । ଫଳରେ ହଂସପୁର ଗ୍ରାମରେ ଉତ୍ତେଜନା ପରିସ୍ଥିତି ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ