ବ୍ରହ୍ମପୁର: ଲୋକକଳା ଓ ଲୋକସଂସ୍କୃତିକୁ ନେଇ ସୁପରିଚିତ ଗଞ୍ଜାମର କଣ୍ଢେଇ ନାଚ ସାଜିଥାଏ ଆକର୍ଷଣର କେନ୍ଦ୍ରବିନ୍ଦୁ । ଭଳିକି ଭଳି କଣ୍ଢେଇଙ୍କ ଅଙ୍ଗଭଙ୍ଗୀ, ସଂଳାପ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଏ । ଜିଲ୍ଲାର ଭଞ୍ଜନଗର ନିକଟବର୍ତ୍ତୀ ବଡକୋଦଣ୍ଡାର କଣ୍ଢେଇ ନୃତ୍ୟ କେବଳ ଆମ ରାଜ୍ୟ କାହିଁକି ରାଜ୍ୟ ବାହାରେ ଅନେକ ଚାହିଦା ରହିଆସିଛି । ହେଲେ ଆଧୁନିକତା ଏବଂ ମୋବାଇଲ ଯୁଗରେ ଏହି ପୁରାତନ ସୁତା କଣ୍ଢେଇ ନୃତ୍ୟକୁ ମଞ୍ଚରେ ନୃତ୍ୟ ପରିବେଷଣ କରାଇ ଆସୁଥିବା କଳାକାରମାନେ ଅଦ୍ୟାବଧି ଏହାକୁ ବଞ୍ଚାଇ ରଖିଥିଲେ ମଧ୍ୟ ସରକାରୀ ପ୍ରୋତ୍ସାହନକୁ ଅପେକ୍ଷା କରି ରହିଛନ୍ତି । ଏହି ଲୋକକଳାର ଚାହିଦା ଲୋପ ପାଉଥିବାରୁ କଳାକାରମାନେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଏହାକୁ ତ୍ୟାଗ କରୁଛନ୍ତି । ହେଲେ ସରକାର ପ୍ରୋତ୍ସାହନ ମିଳିଲେ ଏହି ଲୋକକଳାକୁ ଜୀବିତ ରଖିବାକୁ ପ୍ରସ୍ତୁତ ଥିବା ସେମାନେ କହିଛନ୍ତି ।
ଆଧୁନିକ ସଂଙ୍ଗୀତ ସହ ଅନେକ ଗୀତିନାଟ୍ୟ, ରାମାୟଣ ଓ ମହାଭାରତ ଭଳି ପୌରାଣିକ ନାଟକକୁ ମଞ୍ଚରେ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ ଯୋଗାଇଥାନ୍ତି ଏହି କଳାକାର । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ବଡକୋଦଣ୍ଡା ଅଞ୍ଛଳର କଣ୍ଢେଇ ନାଚ ଦେଖିବା ଲାଗି ରାଜ୍ୟ ବାହାରୁ ମଧ୍ୟ ଲୋକ ଆସିଥାନ୍ତି । ୧୮୬୪ରୁ ଆରମ୍ଭ ହୋଇଥିବା ଗଞ୍ଜାମର ଏହି ପାରମ୍ପରିକ ଲୋକକଳା ନୃତ୍ୟ ପ୍ରତି ଧିରେ ଧିରେ ଚାହିଦା କମିଯାଇଥିଲେ ମଧ୍ୟ କଳାକାରଙ୍କ ଆଗ୍ରହ ରହିଥିବାରୁ ଏହାକୁ ବଞ୍ଚାଇ ରଖାଯାଇଛି । ଦୀର୍ଘ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ନୃତ୍ୟକୁ ପରିବେଷଣ କରିବା ପାଇଁ ପ୍ରତି ୪ରୁ ୫ ବର୍ଷକୁ ଥରେ କଣ୍ଢେଇଗୁଡିକୁ ମରାମତି କରାଯାଏ । ସ୍ବଳ୍ପ ଆୟରେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହେଉନଥିବା ଯୋଗୁଁ ସରକାରୀ ସହାୟତା ଅପେକ୍ଷାରେ କଣ୍ଢେଇ ନୃତ୍ୟର କଳାକାର ଏବଂ ମାଲିକମାନେ ରହିଥିବା କହିଛନ୍ତି । ଏଣୁ ସରକାରୀ ସହାୟତା ମିଳିଲେ ପୁଣି ଥରେ କଣ୍ଢେଇ ନୃତ୍ୟ ମୁଖ୍ୟ ତାର ପ୍ଲାଟଫର୍ମକୁ ଫେରିପାରନ୍ତା ବୋଲି ଆଶା ରଖିଛନ୍ତି ଏହାକୁ ପରିଚାଳନା କରି ଆସୁଥିବା ନିର୍ଦ୍ଦେଶକ ତଥା ନୃତ୍ୟ ଗୁରୁମାନେ ।
ଏ ନେଇ ବରିଷ୍ଠ କଳାକାର ବିଭତ୍ସ ସ୍ବାଇଁ କହିଛନ୍ତି, "ଆମ ପୂର୍ବପୁରୁଷ ଏହି କଣ୍ଢେଇ ନାଚ ମାଧ୍ୟମରେ ଗୁଜୁରାଣ ମେଣ୍ଟାଉଥିଲେ । ତାଙ୍କ ପରେ ଆମେ ଏହି କଳାକୁ ଆପଣେଉଛି । ହେଲେ ଏବେ ଏହାର ଚାହିଦା କମିଛି । କେଉଁ ୬ ମାସରେ ଥରେ ପ୍ରୋଗ୍ରାମ ହେଉଛି । ଏଣୁ ଏହା ମାଧ୍ୟମରେ ଜୀବିକା ନିର୍ବାହ କରିବା ସମ୍ଭବ ହେଉନାହିଁ । ଫଳରେ ବାଧ୍ୟ ହୋଇ କଳାକାରମାନେ ରୋଜଗାର ଲାଗି ଅନ୍ୟ କୌଣସି ପନ୍ଥା ଆପଣାଇଛନ୍ତି । ଯଦି ସରକାର ଆମକୁ ପ୍ରୋତ୍ସାହନ ଯୋଗାନ୍ତେ, ତେବେ ପୁଣି ଏହି ଲୋକକଳା ବେଶ ଆଦୃତ ଲାଭ କରନ୍ତା ଏବଂ ଜୀବିତ ମଧ୍ୟ ରୁହନ୍ତା ।"
ଏହା ବି ପଢନ୍ତୁ- ପାଖଉଛି ଘୋଷଯାତ୍ରା, ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ବୁଣାରେ ବ୍ୟସ୍ତ ରାଉତପଡ଼ା ବୁଣାକାର
ଯେତେବେଳେ ଟେଲିଭିଜନ କିମ୍ବା ମୋବାଇଲ ନଥିଲା ସେହି ସମୟରେ ଗଞ୍ଜାମ ଜିଲ୍ଲା କାହିଁକି ମୁଖ୍ୟତଃ ଦକ୍ଷିଣ ଓଡିଶାର ସାଧାରଣ ଜନତାଙ୍କ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ରହିଥିଲା ଏହି କଣ୍ଢେଇ ନାଚ । କଣ୍ଢେଇ ନାଚ ଯେଉଁଠାରେ ପରିବେଷଣ ହେବ ସେହି ସ୍ଥାନରେ ଏକ ସ୍ବତନ୍ତ୍ର ମଞ୍ଚ ପ୍ରସ୍ତୁତ କରି ତାହାରି ମଧ୍ୟରେ ଏହାର କଳାକାରମାନେ ସୂତା ବନ୍ଧାଯାଇଥିବା କଣ୍ଢେଇକୁ ଧରି ସଙ୍ଗୀତ ଏବଂ ଡାଏଲଗର ତାଳେ ତାଳେ କଳାପରଦା ପଛରେ ରହି ବିଭିନ୍ନ ପ୍ରକାର ଚିତ୍ରିତ କଣ୍ଢେଇକୁ ନେଇ ପୌରାଣିକ ନାଟକଠାରୁ ଆରମ୍ଭ କରି ଅନେକ ନୃତ୍ୟ ନାଟିକା ପ୍ରସ୍ତୁତ କରିଥାନ୍ତି । ଏହି ନୃତ୍ୟ ପରିବେଶଣ ପାଇଁ ଜଣେ କଣ୍ଢେଇର ମୁଖ୍ୟ ପରିଚାଳନା କରିବା ବେଳେ ଅନ୍ୟ ଜଣେ ସହଯୋଗୀ ରହିଥାନ୍ତି । ଯାହାକି କଣ୍ଢେଇ ନୃତ୍ୟ ଦଳ ସମସ୍ତଙ୍କର ମନୋରଞ୍ଜନର ପାଇଁ ଦୀର୍ଘ ସମୟ ଧରି ନୃତ୍ୟ ସହିତ ଅନେକ ସଚେତନତାର ବାର୍ତ୍ତା ଦେଇ ଆସିଥାନ୍ତି ଏହାର କଳାକାର ମାନେ । ହେଲେ ଆଧୁନିକତାର ପ୍ରଭାବ ସହିତ ମୋବାଇଲ ଯୁଗରେ ଦିନକୁ ଦିନ କଣ୍ଢେଇ ନାଚର ଗୁରୁତ୍ବ ବହୁ ମାତ୍ରାରେ କମିଯାଇଥିଲେ ମଧ୍ୟ ଏହି କଳାକୁ କଷ୍ଟମଷ୍ଟରେ ବଞ୍ଚାଇ ରଖିଛନ୍ତି ଏହାର କଳାକାର ମାନେ ।
ଆମ ରାଜ୍ୟରେ ଛାୟାକଣ୍ଢେଇ, କାଠି କଣ୍ଢେଇ, ସୂତା କଣ୍ଢେଇ ଭଳି ଅନେକ ପ୍ରକାର କଣ୍ଢେଇ ନୃତ୍ୟ ରହିଥିବା ବେଳେ କେବଳ ଗଞ୍ଜାମର ଘୁମୁସରର ବଡକୋଦଣ୍ଡା ଅଞ୍ଚଳରେ ଏହି ସୂତା କଣ୍ଢେଇ ନୃତ୍ୟ କାହିଁ କେଉଁ କାଳରୁ ରହି ଆସିଛି । ସ୍ୱର୍ଗତ ବାଙ୍ଗନିଧି ସାହୁ ଏହି କଣ୍ଢେଇ ନୃତ୍ୟ ଆରମ୍ଭ କରିଥିବା ଜଣାଯାଏ । ଯାହାକି ରାମାୟଣ, ମହାଭାରତ, ହରିଶ୍ଟର୍ଯ୍ୟ, ଫୁଲଣାସୁନ୍ଦରଠାରୁ ଆରମ୍ଭ କରି ଅନେକ କଥାବସ୍ତୁକୁ ଦୀର୍ଘ ଦିନ ଧରି ଏହି କଣ୍ଢେଇ ନାଚ ମାଧ୍ୟମରେ ପରିବେଷଣ କରିଆସିଥାନ୍ତି । ବର୍ତ୍ତମାନ ସରକାରଙ୍କ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ମଧ୍ୟ ଏହାରି ମାଧ୍ୟମରେ ହେଉଥିବା ବେଳେ ଏହା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଇଛି । ସେପଟେ ଜିଲ୍ଲାର ଭାରପ୍ରାପ୍ତ ସଂସ୍କୃତି ଅଧିକାରୀଙ୍କ କହିବା କଥା କଳାକାରଙ୍କ ପ୍ରୋତ୍ସାହନ ପାଇଁ ସମସ୍ତେ ଆଗେଇ ଆସିବାର ଆବଶ୍ୟକତା ରହିଥିବା ବେଳେ ଏହି କଳାର ବିକାଶ ପାଇଁ ସରକାରୀ ସ୍ତରରେ ଯେପରି ପ୍ରତିଷ୍ଠିତ ହେବେ ସେ ନେଇ ଉଦ୍ୟମ କରାଯାଉଛି ।
ଇଟିଭି ଭାରତ, ବ୍ରହ୍ମପୁର