ବ୍ରହ୍ମପୁର: ପୂର୍ବରୁ କୋଭିଡ୍-19 ପଜେଟିଭ୍ ମାମଲାକୁ ନେଇ ଚିନ୍ତାଜନକ ସ୍ଥିତିରେ ରହିଥିବା ଗଞ୍ଜାମ ପୁଣି ମହାମାରୀ କବଳରେ । ଦିନକୁ ଦିନ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ପଜେଟିଭଙ୍କ ସଂଖ୍ୟା । କୋଭିଡର ଦ୍ୱିତୀୟ ଲହରକୁ ନେଇ ଦେଶ ଠାରୁ ଆରମ୍ଭ କରି ରାଜ୍ୟ ଏକ ପ୍ରକାର ଚିନ୍ତା ଜନକ ସ୍ଥିତିରେ ରହିଥିବାବେଳେ ବୁଧବାର ଜିଲ୍ଲାରେ ମୋଟ 31 ଜଣ ନୂତନ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ମୋଟ ଆକ୍ଟିଭ ମାମଲା 86ରେ ପହଞ୍ଚିଛି ।
ଗୋଟିଏ ପଟେ ଜିଲ୍ଲାରେ ଦଣ୍ଡନୃତ୍ୟ ଠାରୁ ଆରମ୍ଭ କରି ପ୍ରସିଦ୍ଧ ମାଆ ତାରାତାରିଣୀଙ୍କ ଯାତ୍ରା ଆୟୋଜିତ ହେଉଛି । ଅନ୍ୟପଟେ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀଙ୍କ 7 ଦିନିଆ ଯାତ୍ରା ଆୟୋଜିତ ହେବ । ଏଭଳି ସମୟରେ ନିୟମିତ ଭାବରେ କୋରୋନା ପଜେଟିଭଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତଙ୍କ ପାଇଁ ଚିନ୍ତା ବଢିଛି । ସେପଟେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହାକୁ ନେଇ କଟକଣା ମଧ୍ୟ ବୃଦ୍ଧି କରୁଥିବା ଦେଖାଯାଇଛି ।
ସେହିପରି ଜିଲ୍ଲାରେ କୋରୋନା ଲକ୍ଷଣ ରହିଥିବା ପ୍ରାୟ 1370 ଜଣଙ୍କ ପରୀକ୍ଷା କରାଯାଇଛି । ସେଥିରୁ ଏହି 31 ନୂତନ ପଜେଟିଭ୍ ଟିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ଯରୁ 10 ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ନୂତନ ପଜେଟିଭ୍ ଙ୍କ ମଧ୍ଯରୁ 9 ଜଣ ବ୍ରହ୍ମପୁର ମହାନଗର ନିଗମର, ଆସିକାରୁ ତିନି ଜଣ , ବେଗୁନିଆପଡା , ଚିକିଟି , ହିଞ୍ଜିଳିକାଟୁ , କବିସୂର୍ଯ୍ୟନଗର , ପାତ୍ର ପୁର ଓ ସୋରାଡାରୁ ଜଣେ, ବୁଗୁଡାରୁ ଚାରି ଜଣ ,ଜଗନ୍ନାଥପ୍ରସାଦରୁ ତିନି ଜଣ ଏବଂ ଖଲ୍ଲିକୋଟ ଓ କୁକୁଡାଖଣ୍ଡିରୁ ଦୁଇ ଜଣ ଲେଖାଏଁ ରହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ