ବ୍ରହ୍ମପୁର: କାଦୁଅ ବିଲରେ ତଳି ରୋଇଲେ ଜିଲ୍ଲାପାଳ । ଆଇଏସ ଅଫିସରଙ୍କ ଏହି ମହାନତା ଏବେ ଚର୍ଚ୍ଚାରେ । ଚକାଚନ୍ଦ ଏସି ରୁମ ଛାଡି ବିଲରେ ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ । କଲେକ୍ଟରଙ୍କ ଏହି ଧାନ ରୁଆ କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଣ୍ଠୁଏ କାଦୁଅରେ ଧରାଶ୍ରାବଣରେ ବିଲରେ ପଶି ଚାଷୀମାନଙ୍କ ସହ ମିଶି ଧାନ ରୋଉଛନ୍ତି ।
ଦେଶରେ ଜଣେ ପରେ ଜଣେ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିବା ଅନେକ ଅଧିକାରୀ ବିଭିନ୍ନ କାର୍ଯ୍ୟକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟୁଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟ ଦେଖି ସମସ୍ତେ ଚକିତ ହୋଇଛନ୍ତି । ଶ୍ରାବଣ ମାସରେ ବର୍ଷାର ଅଭାବକୁ ନେଇ ଚିନ୍ତାରେ ରହିଥିବା ଚାଷୀକୂଳ ଗତ ଦୁଇ ଦିନର ଲଘୁଚାପ ବର୍ଷା ପରେ ବିଲରେ ଆରମ୍ଭ କରିଛନ୍ତି ଚାଷ ।
ଜମିରେ ପାଣି ପାଇବା ପରେ ଧାନ ଚାଷ ପାଇଁ ରୁଆ କାର୍ଯ୍ୟ ଏକ ପ୍ରକାର ଆରମ୍ଭ ହୋଇଥିବା ବେଳେ କୃଷି ଓ କୃଷକ ମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଖୋଦ୍ ଜିଲ୍ଲାପାଳ କରିଛନ୍ତି ଚାଷ ଜମିରେ ନିଜେ ଧାନ ରୁଆଇବା କାର୍ଯ୍ୟ । ଜିଲ୍ଲାପାଳ ଜିଲ୍ଲାର ଖଲ୍ଲିକୋଟ ବ୍ଳକର ମଥୁରା ପଞ୍ଚାୟତର ଭରଷା ଗ୍ରାମରେ ପହଞ୍ଚି ନିଜେ ଚାଷ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି । ଏହାସହ ଏକ ଚାଷ ଜମିରେ ଚାଲିଥିବା ଧାଡି ରୁଆ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।
ସେଠାରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ୍ ଦ୍ବାରା ୫୦ ହଜାର ହେକ୍ଟର ଜମିକୁ ଧାଡି ରୁଆ ପାଇଁ ସହାୟତା ପ୍ରଦାନ କରାଯାଇଥିବାରୁ ଏହାକୁ ପଚାରି ବୁଝିବା ସହ ଧନରୁ ମଞ୍ଜି, ବିଲ ହିଡରେ ହରଡ ଚାଷ ପାଇଁ ବିହନ, ଅଣୁସାର ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୟରେ ଚାଷ ଜମି ମଧ୍ୟରେ ପଶି ରୁଆ କାର୍ଯ୍ୟ ସମୟରେ ଜିଲ୍ଲା କୃଷି ବିଭାଗର ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ କୃଷକ ମାନଙ୍କୁ ଅଧିକ ଉତ୍ସାହିତ କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ