ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆଗ ଧାଡିର ପ୍ରଶାସନିକ ଅଧିକାରୀ ମାନେ କୋଭିଡରେ ଆକ୍ରାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ଦେଖାଯାଉଥିବା ସମସ୍ୟା ଗୁଡିକ କିପରି ସମାଧାନ ହୋଇପାରିବ ସେଥି ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଦର ମହକୁମା ଛତ୍ରପୁର ଠାରେ ଏନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
![Ganjam collector holds a meeting, video conference, review the covid-19 situation, Ganjam district, ବିଶ୍ରାମ କରିବେ ସରକାରୀ ଅଧିକାରୀ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, କୋରୋନାରେ ପ୍ରଶାସନିକ ଅଧିକାରୀ ଆକ୍ରାନ୍ତ](https://etvbharatimages.akamaized.net/etvbharat/prod-images/od-bam-collector-meeting-7205524_24062020224041_2406f_1593018641_592.jpg)
ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଠାରେ କୋଭିଡ-19 ଲକ୍ଷଣ ମାନ ଦେଖାଯାଉଥିବା ହେତୁ ସେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଅଧିକାରୀ ମାନେ କୋଭିଡ-19 କାର୍ଯ୍ୟ ସମ୍ପାଦନ କରିବା ସମୟରେ ଯଦି ନିଜର ତଥା ନିଜ କର୍ମଚାରୀ ମାନଙ୍କୁ ନେଇ ସତର୍କତା ଅବଲମ୍ବନ କରିବେ ନାହିଁ ତେବେ ଅନେକ ସମସ୍ୟା ଦେଖାଦେବ ବୋଲି କହିଛନ୍ତି କୁଲାଙ୍ଗେ।
କାର୍ଯ୍ୟାଳୟର କାର୍ଯ୍ୟ ପ୍ରଣାଳୀରେ ସତର୍କତା ଅବଲମ୍ବନର ଆବଶ୍ୟକତାକୁ ଜିଲ୍ଲାପାଳ ଅଧିକ ଗୁରୁତ୍ବ ଦେଇଛନ୍ତି । ବୁଧବାର ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ କୌଣସି କାର୍ଯ୍ୟାଳୟକୁ ଗସ୍ତ କରିବା ସକାଶେ ବାରଣ କରାଯାଇଥିବା ବେଳେ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହି ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ତୁଲାଇବେ । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ସାପ୍ତାହିକ ଛୁଟି ଦିବସ ରବିବାର ଦିନ ନିଜ ଘରେ ପରିବାର ବର୍ଗଙ୍କ ସହ ରହି ବିଶ୍ରାମ ନେବେ । ଏପରିକି ଅତି ଜରୁରୀ ନହେଲେ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟ ନିମନ୍ତେ ଡକାଯିବ ନାହିଁ ବୋଲି କୁହାଯାଇଛି ।
ଯେଉଁ ବ୍ୟକ୍ତି କୋରୋନା ଆକ୍ରାନ୍ତ ହୋଇଛନ୍ତି ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି, କେଉଁଠିକି ଯାଇଥିଲେ, କାହା ସହିତ ମିଶିଥିଲେ ଏସବୁ ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କର ପଡୋଶୀ ମାନଙ୍କର ତଥ୍ୟ ସଂଗ୍ରହ ସହ ପଡୋଶୀଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ ପ୍ରତି ନଜର ରଖିବେ । ଯଦି ସେମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖାଦେଉଥିବ ତେବେ ସେମାନଙ୍କୁ କୋଭିଡ କେୟାର ହୋମରେ ଏକାନ୍ତ ରଖିବାକୁ ପରାମର୍ଶ ଦିଆଯାଇଥିଲା । ଗ୍ରାମ ପଞ୍ଚାୟତ ସ୍ତରରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୋରୋନା ସଂକ୍ରମଣର ସ୍ତର ଯେଉଁଠି ଅଧିକ ରହିଛି ରହିଛି ତାହାକୁ ଦୃଷ୍ଟିରେ ରଖି ସଠିକ ସ୍ବାବ ସଂଗ୍ରହ କରି ପରୀକ୍ଷା କରିବାକୁ କହିଥିଲେ । ଯେଉଁ ଅଞ୍ଚଳ ଗୁଡିକ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯିବ । ଉକ୍ତ ଅଞ୍ଚଳରେ ବସବାସ କରୁଥିବା ପରିବାର ବର୍ଗ କିପରି ଦୈନିକ ଆବଶ୍ୟକତା ସାମଗ୍ରୀ ପାଇବେ ତାହାର ସୁବ୍ୟବସ୍ଥା କରିବାକୁ ଗୁରୁତ୍ବ ଦେଲେ ସେମାନେ ବାହାରକୁ ଯିବେ ନାହିଁ । ସରପଞ୍ଚ ମାନେ ସେମାନଙ୍କ ଅଞ୍ଚଳକୁ ଗ୍ରୀନ ଜୋନ କରିବା ପାଇଁ ପ୍ରଚେଷ୍ଟା କରିବା ନେଇ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଛନ୍ତି ଜିଲ୍ଲାପାଳ ।
ମୁଖ୍ୟତଃ ସହରାଞ୍ଚଳ ମାନଙ୍କରେ ଅଧିକ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଅନାବଶ୍ୟକ ଦୋକାନ ବନ୍ଦ କରିବା, ପନିପରିବା ଓ ତେଜରାତି ଦୋକାନରେ ସାମାଜିକ ଦୂରତ୍ବ ବଜାୟ ରଖିବା ଓ ମାସ୍କର ବ୍ୟବହାରକୁ କଡାକଡି ପାଳନ କରିବା ଆଦି ନିୟମକୁ ନିଶ୍ଚିତ କରିବାକୁ କୁହାଯାଇଛି । ବିଶେଷକରି ପନିପରିବା ବିକ୍ରି ଅଞ୍ଚଳରେ ବାରିକେଡ ବ୍ୟବସ୍ଥା କରିବାକୁ କୁହାଯାଇଛି । ଅଧିକ ସଂଖ୍ୟକ ମୋବାଇଲ ବିକ୍ରିକୁ ପ୍ରୋତ୍ସାହନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ତେବେ ଯେଉଁମାନେ କୋଭିଡ-19 ନିୟମ ଉଲଙ୍ଘନ କରନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ , ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ