ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ପ୍ରଦର୍ଶିତ ହେଲା ଗାନ୍ଧିଜୀଙ୍କ ଆଦର୍ଶ ସଂପର୍କିତ ଚଳଚ୍ଚିତ୍ର । ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ମୁମ୍ୱାଇର ଇଣ୍ଡିଆନ ଇନଫୋଟେନମେଣ୍ଟ୍ ମିଡିଆ କର୍ପୋରେସନ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ତେବେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହରେ ଗାନ୍ଧି ପନୋରାମା ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗାନ୍ଧିଙ୍କ ଜୀବନ ଆଦର୍ଶ ବିଷୟରେ ଅବଗତ କରାଇବା ସହିତ ଚଳଚ୍ଚିତ୍ର ପ୍ରଦର୍ଶନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶ୍ୱ ଦରବାରରେ ଭାରତ ଗାନ୍ଧିଜୀଙ୍କ ଦେଶ ଭାବେ ପରିଚିତ ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା ।
ଏହି ଅବସରରେ ପନୋରାମାର ଅଧ୍ୟକ୍ଷ ତଥା ପ୍ରଯୋଜକ, ହିନ୍ଦି ଅଭିନେତା, ନିର୍ଦ୍ଦେଶକ ଦେବେନ୍ଦ୍ର ଖଣ୍ଡେଲୱାଲ କହିଥିଲେ ଯେ, ଗାନ୍ଧୀ ପନୋରାମାରେ ୪୦ ଗୋଟି ଚଳଚ୍ଚିତ୍ରକୁ ଚୟନ କରାଯାଇ "ଗାନ୍ଧୀ ଚଳଚ୍ଚିତ୍ର" ପ୍ରଦର୍ଶନ କରାଯାଉଛି । ସାମ୍ପ୍ରତିକ ଯୁଗରେ ଗାନ୍ଧିଜୀଙ୍କ ଆଦର୍ଶ ଓ ଅହିଂସାର ପଥ ଅତି ଆବଶ୍ୟକ ହୋଇପଡ଼ିଥିବାରୁ ଏଭଳି ଚଳଚ୍ଚିତ୍ରଗୁଡ଼ିକରୁ ନୂତନ ଯୁବ ପିଢୀ ନିଶ୍ଚିତ ରୂପେ ଅନୁପ୍ରାଣିତ ହେବେ । ଯେଉଁଥିପାଇଁ ଇଣ୍ଡିଆନ ଇନ୍ଫୋଟେମେଣ୍ଟ ମିଡିଆ କର୍ପୋରେସନ ଏହାର ପ୍ରଚାର ଓ ପ୍ରସାର କରିଆସୁଛନ୍ତି ବୋଲି ସେ କହିଥିଲେ ।
ଏହାମଧ୍ୟ ପଢନ୍ତୁ.. ରାଜଘାଟରେ ବାପୁଙ୍କୁ ବିଶ୍ବନେତାଙ୍କ ଶ୍ରଦ୍ଧାଞ୍ଜଳି, ଦେଖନ୍ତୁ କିଛି ଝଲକ
ତେବେ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପନୋରାମାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗ ଦେଇଥିଲେ । ତେବେ ଏଭଳି ଚଳଚ୍ଚିତ୍ରକୁ ବ୍ରହ୍ମପୁର ସହରର ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବହୁ ଦର୍ଶକ ଉପସ୍ଥିତ ରହି ଏଭଳି ପନୋରାମାରେ 'ବାପୁନେ କାହାଥା, କ୍ଷମା, ଆପନି ଗନ୍ଦଗି ହମ ସାଫ ନେହିଁ କରେଙ୍ଗେ ତୋ କୌନ କରେଗା' , 'ମହାତ୍ମା ଗାନ୍ଧୀ', 'ଲଗେ ରହୋ ମୁନ୍ନା ଭାଇ' ଆଦି ଚଳଚ୍ଚିତ୍ର ଦେଖି ବେଶ ଉତ୍ସାହିତ ହୋଇଥିଲେ । ଓଡ଼ିଶାର ସମ୍ବଲପୁର, ରାଉରକେଲାଠାରେ ପ୍ରିମିୟର ପରେ ବ୍ରହ୍ମପୁର ସହରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ପୁରୀ ଓ କଟକଠାରେ ଏହା ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ବ୍ରହ୍ମପୁର