ଗଞ୍ଜାମ: ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ସଚେତନ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ବନ୍ୟା ସ୍ଥିତ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଶାସନ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧ୍ୟକ୍ଷତା କରି ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ନିଜ ଅଞ୍ଚଳ ପ୍ରତି ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
![ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ](https://etvbharatimages.akamaized.net/etvbharat/prod-images/od-bam-district-administration-meeting-7205524_11072022233107_1107f_1657562467_680.jpg)
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆକଳନର ସଠିକ ରୂପାୟନ ହେଲେ ଜିଲ୍ଲାର ତଳିଆ ଅଞ୍ଚଳ ଗୁଡିକରେ ବନ୍ୟା ପରିସ୍ଥିତି ଦେଖାଯିବ । ତେଣୁ ପରିସ୍ଥିତିକୁ ଦେଖି ଆଗୁଆ ସତର୍କ ହେବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଅପହଞ୍ଚ ଇଲାକାରେ ରହୁଥିବା ଗର୍ଭବତୀ ମହିଳାଙ୍କ ଯତ୍ନ ଓ ଆଗାମୀ 15 ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ସ୍ଥାନାନ୍ତରିତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
![ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ](https://etvbharatimages.akamaized.net/etvbharat/prod-images/od-bam-district-administration-meeting-7205524_11072022233107_1107f_1657562467_181.jpg)
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତ ବିଭାଗର କାର୍ଯ୍ୟକାରିତା ବିଷୟରେ ସଂପୃକ୍ତ ଅଧିକାରୀମାନଙ୍କୁ ତଥ୍ୟ ପ୍ରଦାନ ଓ ପୂର୍ବ ପ୍ରସ୍ତୁତି କରି ରହିବା ପାଇଁ କହିଛନ୍ତି । ଜିଲ୍ଲାରେ ଜଳ ସଂରକ୍ଷଣ ପାଇଁ ରହିଥିବା ସମସ୍ତ ଡ୍ୟାମ୍ର ଜଳ ଧାରଣ କ୍ଷମତା ଉପରେ ନଜର ରଖି କ୍ଷମତାଠାରୁ ଅଧିକ ହେଲେ ତାହାର ନିଷ୍କାସନ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଶୁଖିଲା ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ରହ୍ମପୁର, ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଚାରି ଗୋଟି ଜୋନ୍ରେ ବିଭକ୍ତ କରାଯାଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ।
![ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ](https://etvbharatimages.akamaized.net/etvbharat/prod-images/od-bam-district-administration-meeting-7205524_11072022233107_1107f_1657562467_944.jpg)
ଜନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ଔଷଧ, ଓ.ଆର୍.ଏସ୍., ହାଲୋଜେନ୍ ବଟିବା ଯଥେଷ୍ଟ ପରିମାଣରେ ଗଚ୍ଛିତ ଥିବା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଅବଗତ କରାଇଥିଲେ । ପଶୁସମ୍ପଦର ସୁରକ୍ଷା ପାଇଁ ସମସ୍ତ ପ୍ରକାର ଔଷଧ ରହିଥିବା ଏବଂ ସମ୍ଭାବ୍ୟ ବର୍ଷାକୁ ଲକ୍ଷ୍ୟ ରଖି ତଳିଆ ଅଞ୍ଚଳରେ ରହୁଥିବା ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ନେଇ ପୂର୍ବରୁ ପ୍ରସ୍ତୁତ ରହିବାକୁ ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କୁହାଯାଇଛି । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ.କିର୍ତ୍ତୀ ଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ଛତ୍ରପୁର ଉପ ଜିଲ୍ଲାପାଳ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଇଟିଭି ଭାରତ, ବ୍ରହ୍ମପୁର