ବ୍ରହ୍ମପୁର: ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁର ସହରରେ ଆୟୋଜିତ ହେବାକୁ ଯାଉଛି ମାଆ ଜଗତ ଜନନୀଙ୍କ ସାରଦୀୟ ଦୂର୍ଗା ପୂଜା । ମା' ଙ୍କ ନବରାତ୍ର ପୂଜା ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଶେଷରେ କଟକଣା ମଧ୍ୟରେ କିଭଳି ପରମ୍ପରାକୁ ନେଇ ପୂଜା ମଣ୍ଡପରେ ମାଆଙ୍କ ପୁଜା ଆୟୋଜିତ ହେବ ତାହାକୁ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ସମସ୍ତ ପୂଜା କମିଟିକୁ ଅବଗତ କରାଇ ଦିଆଯାଇଛି ।
ଏଥର ବିନା ଭକ୍ତରେ ପୂଜା ମଣ୍ଡପରେ ମାଆଙ୍କୁ କରାଯିବ ପୂଜାର୍ଚ୍ଚନା । ପୂଜା ମଣ୍ଡପ ବା ପେଣ୍ଡାଲ ଗୁଡିକ ତିନି ଦିଗରୁ ଆବୃତ ବା ବନ୍ଦ କରି ରଖାଯିବା ସହ ଯେପରି ଭକ୍ତ କିମ୍ବା ଜନ ସାଧାରଣଙ୍କୁ ଦର୍ଶନ କରିବାକୁ ଏହି କଟକଣାରେ ବାରଣ କରାଯାଇଛି । ମାଆଙ୍କ ମୂଣ୍ମୟୀ ମୂର୍ତ୍ତୀ ଗୁଡିକ ୪ ଫୁଟ ରହିବ ବୋଲି ଦୃଷ୍ଟି ଦିଆଯାଇଛି । ପୂଜା ସମୟରେ କୌଣସି ଡାକବାଜି ଯନ୍ତ୍ରର ବ୍ୟବହାର ହେବ ନାହିଁ । ପୁରୋହିତ ଓ କର୍ମକର୍ତ୍ତା ତଥା ଆୟୋଜକଙ୍କୁ ସମସ୍ତଙ୍କୁ ମିଶାଇ ସମୁଦାୟ ୭ ଜଣ ବ୍ୟକ୍ତିବିଶେଷ ସବୁ ସମୟରେ ପୂଜା ମଣ୍ଡପ ନିକଟରେ ରହିପାରିବେ । ଏହି ସମସ୍ତ କଟକଣାକୁ ନେଇ ଚଳିତବର୍ଷ ପୂଜା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ପୂଜା କମିଟିର କର୍ମକର୍ତ୍ତାମାନେ ।
ସେପଟେ ପୂଜା ଆରମ୍ଭ ହେବା ପୂର୍ବରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପ୍ରତ୍ୟେକ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନତା କରାଯିବ ଯେପରି ସେମାନେ ପୂଜା ମଣ୍ଡପକୁ ଯିବେ ନାହିଁ । ଏପରିକି ସମସ୍ତେ ଘରେ ରହି ପୂଜା କରିବା ସହିତ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ କରାଯାଇ କିଭଳି ଚୋରା ମଦ କାରବାରକୁ ରୋକିବା ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ପ୍ରତି ଅଧିକ ଦୃଷ୍ଟି ଦିଆଯିବ ସେ ନେଇ ପଦକ୍ଷେପ ନିଆଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ମାଆଙ୍କ ଭସାଣ ଉତ୍ସବର କୌଣସି ଶୋଭାଯାତ୍ରା ଆୟୋଜନ ନ କରାଯିବା ପାଇଁ କୁହାଯାଇଥିବା ବେଳେ ବିଗତବର୍ଷ ମାନଙ୍କ ଭଳି ଭସାଣ ପାଇଁ କୃତ୍ରିମ ପୋଖରୀର ବ୍ୟବସ୍ଥା କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ଅବଗତ କରାଯାଇଛି । ଅନ୍ୟପଟେ ବ୍ରହ୍ମପୁର ଠାରେ ଏହି କଟକଣା ମଧ୍ୟରେ କିଭଳି ପୂଜା କରାଯିବ ସେ ନେଇ ସମସ୍ତ କମିଟି କର୍ତ୍ତୃପକ୍ଷଙ୍କ ସହ ବ୍ରହ୍ମପୁର ଉପଜିଲ୍ଲାପାଳ ଆଲୋଚନା କରିବା ସହିତ ପ୍ରତ୍ୟେକ ପୂଜା ମଣ୍ଡପ ପେଣ୍ଡାଲ ନିକଟରେ କୋଭିଡ୍ ନିୟମକୁ ଯେପରି କଡାକଡି ପାଳନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବାକୁ ପରାମର୍ଶ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ