ଭଞ୍ଜନଗର: ଶେଷ ହେଉନାହିଁ ଚାଷୀର ଦୁଃଖ । ଲଘୁଚାପ ଜନିତ ଲଗାଣ ବର୍ଷା ଧୋଇ ଦେଲା ଶହ ଶହ ଏକର ଧାନ ଫସଲ l କେବେ ବର୍ଷା କେବେ ମରୁଡି ଚାଷୀକୁ କରୁଛି ହତାଶ । ବହୁ କଷ୍ଟ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ସୁନାର ଫସଲ ଫଳାଉଛି ଚାଷୀ। ହେଲେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଏବେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଉଛି ।
ଲଗାଣ ବର୍ଷାରେ ଏବେ ଗଞ୍ଜାମ ଧରାକୋଟ ବ୍ଲକର ଅଧିକାଂଶ ଗ୍ରାମର ଚାଷ ଜମିରେ ବନ୍ୟା ପାଣି ପଶି ସବୁ ନଷ୍ଟ ହୋଇଯାଇଛି । ଧରାକୋଟର ବାହରପୁର ,ରୁଗୁମୁ ପଞ୍ଚାୟତର ଶହ ଶହ ଏକର ଚାଷ ଜମିରେ ଆଗୁଳ କେନାଲର ପାଣି ଲହଡି ମାରୁଛି । କାରଣ କେନାଲର ହୁଡା ଭାଙ୍ଗି ଚାଷୀ ଜମିକୁ ପଶିଆସଛି ପାଣି ।
ଏହି ଅଞ୍ଚଳର ଶହଶହ ପରିବାର ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ବର୍ଷ ସ୍ବଳ୍ପ ବୁଷ୍ଟି ଯୋଗୁଁ ଚାଷୀ ବହୁ କଷ୍ଟରେ ଚାଷ କରିଥିଲେ । ବର୍ତମାନ କ୍ଷେତରେ ଧାନ ପାଚି ହସୁଥିଲା । କିଛି ଲୋକ ଧାନ କାଟିବା ମଧ୍ୟ ଆରମ୍ଭ କରିଥିଲେ । ହେଲେ ଏବେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଚାଷ ଜମି ନିକଟ ଦେଇ ଯାଇଥିବା ଆଗୁଳ କେନାଲରେ ଅଧିକ ପାଣି ଆସି ହୁଡା ଭାଙ୍ଗି କ୍ଷେତରେ ପଶିଗଲା । ଫଳରେ ଫସଲ ଜମିରେ ଏବେ କେନାଲ ପାଣି ଲହଡି ମାରୁଛି ।
ସେପଟେ ଧାର କରଜ କରି ଚାଷ କରିଥିବା ଚାଷୀ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛି । କାରଣ ଖର୍ଛ କରିଥିବା ବିହନ, ସାରର ପଇସା ମିଳିବ ନାହିଁ । କିଛି ଚାଷୀ ଭାଗ ଚାଷ କରିଥିବା ଯୋଗୁଁ ସରକାର ଦେଉଥିବା କ୍ଷତି ପୂରଣ ଚାଷୀକୁ ମିଳିବ ନାହିଁ । ଯାହା କ୍ଷତି ପୂରଣ ମିଳିବ ତାହା ସବୁ ପ୍ରକୃତ ଜମି ମାଲିକକୁ ପାଖକୁ ଯିବ । ଏଣେ ପ୍ରକୃତ ଚାଷୀ ଚାଷ କରି ଏବେ ହତାଶ ।
ଏପରି ସ୍ଥଳେ ପ୍ରଶାସନ ଯଦି ସଠିକ କ୍ଷୟକ୍ଷତି ଆକଳନ କରି ପ୍ରକୃତ ଚାଷୀଙ୍କୁ କ୍ଷତି ପୂରଣ ଦିଅନ୍ତା ତାହା ହେଲେ କ୍ଷତିଗ୍ରସ୍ତ ଚାଷୀ ଉପକୃତ ହୋଇପାରନ୍ତେ ।
ଗଞ୍ଜାମ ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ