ବ୍ରହ୍ମପୁର: ସହରରେ କଡାକଡି ହେଲା ପୋଲିସର କୋଭିଡ୍ ସ୍ପେଶାଲ ଡ୍ରାଇଭ୍ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସହରର ବିଭିନ୍ନ ଛକରୁ ଅମାନିଆଙ୍କଠାରୁ ଆରମ୍ଭ କରାଯାଇଛି ଜୋରିମାନା । ରାଜ୍ୟରେ ଦେଖା ଦେଇଥିବା କୋଭିଡର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଧେଶକ୍ରମେ ବ୍ରହ୍ମପୁର ପୋଲିସ ପକ୍ଷରୁ କଟକଣା କଡ଼ାକଡ଼ି କରିବା ପାଇଁ ପୁଣିଥରେ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବାକୁ ଆହ୍ବାନ କରି ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ପୁରୁଣା ବସଷ୍ଟାଣ୍ଡ, ଟାଟା ବେଞ୍ଜ ଛକ ଭଳି ପ୍ରମୁଖ ଛକମାନଙ୍କରେ ଯାଞ୍ଚ କରାଯାଇଥିଲା ।
ଏହା ସହ ସଡକ ସୁରକ୍ଷା ନିୟମକୁ ମାନି ସମସ୍ତ ଦୁଇ ଚକିଆ ଯାନବାହନ ଚାଳକ ହେଲ୍ମେଟ ବ୍ୟବହାର କରିବା ଲାଗି ସଚେତନା କରାଯାଇଥିଲା । ଏହି ଅବସରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ସହରବାସୀଙ୍କୁ କୋରୋନା କଟକଣା ପାଳନ ପାଇଁ ଅନୁରୋଧ କରିବା ସହ ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରିଥିଲେ ।
ଅନ୍ୟପଟେ ସହରର ପୁରୁଣା ବସଷ୍ଟାଣ୍ଡଠାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଖୋଦ୍ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ରଙ୍କ ସମେତ ଅତିରିକ୍ତ ଏସ୍ ପି ପ୍ରଭାତ ରାଉତରାୟ, ଟାଉନ୍ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି, ଟ୍ରାଫିକ ଡ଼ିଏସପି ବିମଳକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ