ବ୍ରହ୍ମପୁର: ଜିଲ୍ଲାରେ କୋରୋନା ସ୍ଥିତି ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମୀକ୍ଷା କରିଛନ୍ତି। ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଚିକିତ୍ସା ଅଧିକାରୀ ମାନେ ଏହି ଅନଲାଇନ ବୈଠକରେ ଉପସ୍ଥିତ ରହିଥିଲେ । କୋଭିଡ ପରିଚାଳନା ନେଇ କୋଭିଡ୍ କେୟାର ହୋମ୍, ସ୍କିଲ୍ ମ୍ୟାପିଂ, ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ବ, କ୍ଲଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ୍ କେୟାର୍ସ ହୋମ୍ ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଗୁଡିକରେ କୋଭିଡ୍ ପରିଚାଳନା ନେଇ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ମାସ୍କ ପିନ୍ଧିବା, ହାତ ଧୋଇବା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ସାମାଜିକ ଦୂରତ୍ବ ବଜାୟ ରଖିବା, କାର୍ଯ୍ୟାଳୟ ପରିବେଶକୁ ସ୍ବଚ୍ଛ ରଖିବାକୁ ସଂପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ଓ କର୍ମଚାରୀ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ଏଥିସହିତ ପୂର୍ବରୁ ଚାଲୁରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ବନ୍ଦ କରାଯାଇ ନୂତନ କ୍ଳଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଡମିଶନ୍ କରାଯିବା ନେଇ ନିଷ୍ପତି ହୋଇଛି । ଜିଲ୍ଲାକୁ ଆସୁଥିବା ପ୍ରବାସୀ ମାନଙ୍କର ରେକର୍ଡ ଠିକ୍ ରୂପେ ରଖାଯିବା ସହ, କ୍ଲଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ତଥ୍ୟ ରେକର୍ଡଭୁକ୍ତ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି । ଯେଉଁ ମାନଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ କୋଭିଡ୍ କେୟାର ସେଣ୍ଟରରେ ଆଡମିଶନ୍ କରାଯିବ । କୋଭିଡ୍ କେୟାର ସେଣ୍ଟରରେ ଭିଡକୁ ବାରଣ କରାଯାଇଛି । ଆବଶ୍ୟକ ସ୍ଥଳେ ୧୪୪ ଧାରା ଜାରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାବ୍ ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଥିବା ବ୍ୟକ୍ତି ବାହାରେ ବୁଲିବାକୁ ବାରଣ କରାଯାଇଛି । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ, କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ହୋମ୍ କ୍ବାରେଣ୍ଟାଇନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବ୍ୟକ୍ତି ନିୟମ ଖିଲାପ କଲେ, ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୧୪ ଦିନ ରଖାଯିବ ବୋଲି ନିଷ୍ପତି ହୋଇଛି । ।
ବାହାଘର ଓ ସମସ୍ତ ପ୍ରକାର ଉତ୍ସବ ପାଳନ କରିବାକୁ ବାରଣ କରାଯାଇଛି । ଯଦି କେହି ନିୟମର ଉଲଂଘନ କରନ୍ତି , ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥିର ହୋଇଛି। ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଉଲଘଂନକାରୀଙ୍କ ପ୍ରତି କଡା ନଜର ରଖିବାପାଇଁ ତହସିଲଦାର ମାନଙ୍କୁ ପରାମର୍ଶ ଦିଆଯାଇଛି । ଛକ ସ୍ଥାନ ଓ ଦୋକାନ ସମ୍ମୁଖରେ ଭିଡ କଲେ କ୍ବାରେଣ୍ଟାଇନ୍ ରେ ୧୪ ଦିନ ରହିବାକୁ ହେବ । କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ଅଞ୍ଚଳରେ ବସବାସ କରୁଥିବା ପରିବାରଙ୍କ ନିକଟରେ ରାସନ ସାମଗ୍ରୀ ଓ ପନିପରିବା ଉପଲବ୍ଧ କରିବାକୁ ଅଧିକାରୀ ମାନଙ୍କୁ କହିଛନ୍ତି ଜିଲ୍ଲାପାଳ । କୌଣସି ବ୍ୟକ୍ତି କୋରୋନା ପଜିଟିଭ ଜଣାପଡିଲେ, ଘର ସାମନାରେ ପୋଷ୍ଟର ଲଗାଇବା କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମଧ୍ୟ କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ