ବ୍ରହ୍ମପୁର: ବାତ୍ୟା ଜୱାଦରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷତିଗ୍ରସ୍ତ ଚାଷ ଜମି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ(Central Team) । ଗତକାଲି(ରବିବାର) ରାଜ୍ୟର କିଛି ଜିଲ୍ଲାରେ କେନ୍ଦ୍ରୀୟ ଟିମର ପ୍ରତିନିଧି ଦଳ ବାତ୍ୟା ପ୍ରଭାବରେ ହୋଇଥିବା ଲଘୁଚାପ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିଥିବା ବେଳେ ଗଞ୍ଜାମକୁ ଆସିଥିବା ଦୁଇ ଜଣିଆ ପ୍ରତିନିଧି ଦଳ ପ୍ରଥମେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାରେ ପହଞ୍ଚିବା ସହ ରଣ୍ଢା ପଞ୍ଚାୟତ ଓ ଚିକରଡା ପଞ୍ଚାୟତରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷ ଜମିକୁ ବୁଲି ଦେଖିଥିଲେ । ସେଠାରେ ଅଦ୍ୟାବଧି ବହୁ ଚାଷ ଜମିରେ ପାଣି ଜମି ରହିଥିବା ଯୋଗୁଁ ଚାଷୀମାନେ ଧାନକୁ ଅମଳ କରି ପାରୁନଥିବା ପ୍ରତିନିଧି ଦଳକୁ ଅବଗତ କରାଇଥିଲେ ଚାଷୀ ।
ଏହାବି ପଢନ୍ତୁ: କେନ୍ଦ୍ରାପଡ଼ାରେ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ
ଏହି କେନ୍ଦ୍ରୀୟ ଟିମ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ବ୍ଲକ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ଏହି ଅବସରରେ ଏହି କେନ୍ଦ୍ରୀୟ ଟିମ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏବଂ ଖଲ୍ଲିକୋଟ ବ୍ଲକ ଗସ୍ତ କରି ଚାଷ ଜମିର କ୍ଷୟକ୍ଷତି ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଛି । ତେବେ କେନ୍ଦ୍ରୀୟ ଟିମ ଧାନ ଚାଷର କ୍ଷୟକ୍ଷତି ଉପରେ ଅନୁଧ୍ୟାନ କରିଥିବାବେଳେ ସେଠାରେ ଉପସ୍ଥିତ ଚାଷୀଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ