ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କୁ ବିରୋଧ କରି ବ୍ରହ୍ମପୁର ସହରରେ ବିକ୍ଷୋଭ ଓ ପ୍ରତିବାଦ କଲା ବିଜେଡ଼ି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକଙ୍କ 5 କିଲୋ ଚାଉଳ କାହିଁକି କଟାଗଲା ପ୍ରଶ୍ନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରାଯିବା ସହ ଗରୀବ, ଚାଷୀଙ୍କ ପେଟକୁ ଲାତ ମରାଯିବା ଘଟଣାକୁ ସମାଲୋଚନା କରି ବ୍ରହ୍ମପୁର ସହରରେ ବିକ୍ଷୋଭ ଓ ପ୍ରତିବାଦ କରିଛି ବିଜୁ ଜନତା ଦଳ । ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତୃବୃନ୍ଦ ଓ କର୍ମୀମାନେ ବ୍ରହ୍ମପୁର ସହରର ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସ୍କୃତି ଭବନ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ସହରର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ ।
ପୂର୍ବରୁ ରାଜ୍ୟର ଗରୀବ ପରିବାର ମାନଙ୍କୁ ଯୋଗାଯାଇ ଆସୁଥିବା ପାଞ୍ଚ କିଲୋ ଚାଉଳକୁ କାଟି ଦିଆଯାଇଥିବା ଘଟଣା ପ୍ରତ୍ୟେକ ଓଡ଼ିଆଙ୍କ ପେଟକୁ ସିଧାସଳଖ ଆଘାତ ବୋଲି କୁହାଯାଇଛି । ଏଣୁ ଓଡିଶା ଭଳି ରାଜ୍ୟରେ ଚାଉଳର ଅନେକ ଚାହିଦା ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତି ଓ ଗରୀବ ମାରଣ ନୀତିକୁ ଦଳୀୟ କର୍ମକର୍ତ୍ତାମାନେ ବେଶ ସମାଲୋଚନା କରିଥିଲେ ।
ଏଭଳି ପ୍ରତ୍ୟେକ ଓଡ଼ିଆଙ୍କ ପେଟକୁ ଆଘାତ ଦିଆଯିବା ଭଳି ଘଟଣାକୁ ପ୍ରତେକ ବିରୋଧ କରୁଥିବା ବେଳେ ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଥିବା ପ୍ରତିବାଦ ପରେ ରାଜ୍ୟର ପ୍ରତ୍ୟେକ ବ୍ଳକ ଓ ସହରାଞ୍ଚଳରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଏଭଳି ଦୁଇ ଦିନିଆ ପ୍ରତିବାଦ କରାଯାଇଥିବା ବେଳେ ପ୍ରମୁଖ ସ୍ଥାନରେ ଦଳୀୟ ନେତୃବୃନ୍ଦ ମାନେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏବଂ ସହରାଞ୍ଚଳ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ଦେଶର ରାଷ୍ଟ୍ରପତିଙ୍କ ନିକଟକୁ ସ୍ମରକ ପତ୍ର ପ୍ରଦାନ କରାଯାଇଛି । କାଟି ଦିଆଯାଇଥିବା ଚାଉଳକୁ ପୁନଃ ପ୍ରଦାନ କରାଯିବାକୁ ଦାବି କରି ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଣୁ ରାଜ୍ୟର ୩.୨୫ କୋଟି ଜନତାଙ୍କୁ ପାଞ୍ଚ କିଲୋ ଲେଖାଏଁ ଚାଉଳ ନକାଟିବାକୁ ବିକ୍ଷୋଭ ଓ ପ୍ରତିବାଦରେ ଦାବି କରାଯାଇଥିଲା ।
ବ୍ରହ୍ମପୁର ସହରରେ ଆୟୋଜିତ ପ୍ରତିବାଦରେ ନଗର ବିଜେଡି ସଭାପତି ବିଜୟ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ବିକ୍ଷୋଭରେ ବ୍ରହ୍ମପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡି, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ବରିଷ୍ଠ ବିଜେଡି ନେତା ଭଗବାନ ଗନ୍ତାୟତ , ବ୍ରହ୍ମପୁର ଅର୍ବାନ ସମବାୟ ବ୍ୟାଙ୍କର ସଭାପତି ଆର୍.ମୁରଲୀମୋହନଙ୍କ ସମେତ ବ୍ରହ୍ମପୁର ସହରର ନିର୍ବାଚିତ କର୍ପୋରେଟର ଏବଂ ଦଳର କର୍ମକର୍ତ୍ତା ମାନଙ୍କ ସହିତ ଦଳର ଛାତ୍ର, ଯୁବ, ମହିଳା ସଙ୍ଗଠନ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଦାବି ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବା ବୋଲି ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର