ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଙ୍କ ମୃତ୍ୟୁ । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ନୂତନ ଛାତ୍ରବାସ ବା ପଞ୍ଚମ ହଷ୍ଟେଲ ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ର ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ତାରିଣୀ ପ୍ରସାଦ ବିଶ୍ୱାଳ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷର ଆଇ.ଆର୍.ପି.ଏମ୍ ବିଭାଗର ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ: ବିଜେଡିର ମହିଳା ସମାବେଶକୁ ବିଜେପିର ଟାର୍ଗେଟ, ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କଲେ ଟଙ୍କଧର
ପୋଲିସର ସୂଚନା ଅନୁଯାୟୀ, ଶନିବାର ଛାତ୍ର ଜଣଙ୍କ ନିଜ ରୁମରୁ ନବାହାରିବାରୁ ଅନ୍ୟ ଛାତ୍ରମାନେ ସନ୍ଦେହ କରିଥିଲେ । ତାଙ୍କୁ ଯେତେ ଡାକିଲେ ମଧ୍ୟ ସେ ଶୁଣିନଥିଲେ । ତେଣୁ ଛାତ୍ରାବାସ ପଛପାଖକୁ ଯାଇ ଦେଖିଲା ବେଳେ ଛାତ୍ର ଜଣଙ୍କ ଝୁଲନ୍ତା ଅବସ୍ଥାରେ ରହିଛନ୍ତି । ଏନେଇ ତୁରନ୍ତ ସେମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ପରିବାର ଲୋକେ ଆସିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କ ଏଭଳି ଚରମ ପଦକ୍ଷେପ ନେବାକୁ ଚିନ୍ତା କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ: Matric Exam: ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳରେ ଖୁଲମଖୁଲା କପି ! ଅଡିଓ ଭାଇରାଲ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିଭିନ୍ନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ଜଣେ ଅଧ୍ୟୟନରତ ବିଦ୍ୟାର୍ଥୀ ଛାତ୍ରାବାସ ପରିସରରେ ଜୀବନ ହାରିବା ଘଟଣା ଏବେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମୃତ୍ୟର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ବିଦ୍ୟାର୍ଥୀମାନଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷା ଶେଷ ହୋଇଛି । ତେଣୁ ବହୁ ଛାତ୍ର ହୋଲି ଏବଂ ଦୋଳପୂର୍ଣ୍ଣିମା ଅବସରରେ ଛୁଟି ଯୋଗୁଁ ନିଜ ଘରକୁ ଯାଇ ଫେରିଛନ୍ତି । ମାତ୍ର ତାରିଣୀ ପ୍ରସାଦ ଘରକୁ ଯାଇଥିଲେ ନା ନାହିଁ ତାହା ଜଣାପଡ଼ିନାହିଁ । ପରିବାର ବର୍ଗ ପହଞ୍ଚିବା ପରେ ହିଁ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ବିଭିନ୍ନ ସମୟରେ ଯୁବ ବର୍ଗ ଚାପ ଗ୍ରସ୍ତ ହେଉ ବା ଅନ୍ୟ କୌଣସି ପାରିବାରିକ କାରଣରୁ ଜୀବନ ହାରୁଥିବା କରୁଥିବା ଘଟଣା ସାମ୍ନାକୁ ଆସୁଛି ।
ଇଟିଭି ଭାରତ ବ୍ରହ୍ମପୁର