ବ୍ରହ୍ମପୁର: ବେଆଇନ ପଥର କୁଆଁରୀ ଏବଂ କ୍ରସର ଉପରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡା ଗ୍ରାମ ନିକଟରେ ଏହି ବେଆଇନ କାର୍ଯ୍ୟ ଚାଲିଥିବା ନେଇ ପୋଲିସ ସୂଚନା ପାଇଥିଲା । ବ୍ରହ୍ମପୁର ଉପକଣ୍ଠରେ ରହିଥିବା ଏହି ପଥର କୁଆଁରୀରେ ବେଆଇନ ଭାବେ ବେଧଡକ ପଥର ଫୁଟାଯାଉଥିବା ନେଇ ଅଭିଯୋଗ ଆସିଥିଲା । ପରେ ରାଜ୍ୟ ସିଆଇଡିର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଓ ଦିଗପହଣ୍ଡି ଥାନା ପୋଲିସ ମିଳିତ ଭାବେ ଚଢାଉ କରିଥିଲେ ।
ଏହି ଘଟଣାରେ ପୋଲିସ ଦୁଇଟି କ୍ରସରରୁ ୧୨ ଜଣଙ୍କୁ ଗିରଫ କରିଛି । 4ଟି ପଥର ବୋଝେଇ ଟ୍ରାକ୍ଟର ଏବଂ 3ଟି ମୋଟର ସାଇକେଲ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ଡିଟୋନେଟର୍ ଏବଂ ଜିଲୋଟିନ୍ ଜବତ କରାଯାଇଛି । ଦିଗପହଣ୍ଡି ପୋଲିସ ପକ୍ଷରୁ ଏନେଇ ଦୁଇଟି ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଗିରଫ ହୋଇଥିବା ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ମାଲିକ ବାଲାଜୀ ରେଡ୍ଡି ଓ ତାଙ୍କ ସହଯୋଗୀ ସନ୍ତୋଷ କୁମାର ବେହେରା ରହିଛନ୍ତି । ଏଥିସହିତ ବିସ୍ପୋରକ ଯୋଗାଇ ଆସୁଥିବା ଗୋପାଳପୁର ବଡଗୁମୁଳା ଅଞ୍ଚଳର କୋରା ସେଠୀ ନାମକ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି । ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ