ବ୍ରହ୍ମପୁର: ଛାତ୍ରଙ୍କୁ ନିଶା ଦେଇ ଅପହରଣ କରିବା ଉଦ୍ୟମ ଏକ ପ୍ରକାର ବିଫଳ ହୋଇଛି । ଏଭଳି ଘଟଣା ଘଟିଛି ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ଅଞ୍ଚଳରେ ।
ଜଣେ ଛାତ୍ର ଟ୍ୟୁସନ ସାରି ଫେରୁଥିବା ସମୟରେ ଦୁଇ ଜଣ ଯୁବକ ପଛପଟୁ ମୋଟର ସାଇକେଲରେ ଆସି ଜୋର ଜବରଦସ୍ତ କିଛି ନିଶା ପାନୀୟ ପିଆଇ ଦେଇ ସାଙ୍ଗରେ ବଳପୂର୍ବକ ନେଇଯାଉଥିଲେ । ଛାତ୍ର ଜଣକ ପାଟି କରିବା ପରେ ସ୍ଥାନୀୟ ଲୋକେ ଆସିବା ଭୟରେ ଯୁବକ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଛାତ୍ର ଜଣକୁ ଗୁରୁତର ଭାବରେ ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ବ୍ରହ୍ମପୁରର ଅତିରିକ୍ତ ଏସପିଙ୍କ ସମେତ ପୋଲିସ ଟିମ୍ ପହଞ୍ଚି କିଏ ଏବଂ କାହିଁକି ଅପହରଣ କରିବାକୁ ଆସିଥିଲା ତାହାର ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତଦନ୍ତ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ