ବ୍ରହ୍ମପୁର: ବିଦେଶରେ ନିଯୁକ୍ତି କରାଇଦେବା ନାରେ ଠକେଇ । ବ୍ରହ୍ମପୁର ସହରର ବହୁ ଯୁବକଙ୍କ ଠାରୁ ଠକେଇ କରାଯିବା ଘଟଣାରେ ରାଜ୍ୟ ବାହାରକୁ ଯାଇ ତାମିଲନାଡୁ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ହର୍ଷବିହାର ଚତୁର୍ଥ ଲାଇନର ମାନସ ରଞ୍ଜନ ମହାନ୍ତି ନାମକ ଯୁବକ ଜଣଙ୍କ ଏଭଳି ଠକାମୀର ଶିକାର ହୋଇଥିବା ନେଇ ଗତ ମାର୍ଚ୍ଚ ମାସର ୩୧ ତାରିଖରେ ବଡବଜାର ଥାନାରେ ଏତଲା ଦେଇଥିଲେ ।
ପୂର୍ବରୁ ଏହି ମାମଲାରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତକୁ ପୋଲିସ ରାଜଧାନୀ ଭୁବନେଶ୍ଵରର ସଞ୍ଜୟ ଜେନାଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ଏହି ଘଟଣାକୁ ଅଧିକ ଖୋଳତାଳ କରିବା ପରେ ଏହି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଜଣଙ୍କ ତାମିଲନାଡ଼ୁ ରାଜ୍ୟର ଚୁଡ଼ାଲୋର ଜିଲ୍ଲା ଟିଟାକୁଡି ଅଞ୍ଚଳର ପେରିୟାର ନଗରରେ ରହୁଥିବା ୪୫ ବର୍ଷୀୟ ସୁବ୍ରମନ୍ୟନ୍ ବୀରସ୍ୱାମୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ପରେ ସେଠାକୁ ଯାଇ ପୋଲିସ ତାଙ୍କୁ ଗିରଫ କରିବା ସହ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇ ଟ୍ରାନ୍ଜିଟ୍ ରିମାଣ୍ଡରେ ଅଣାଯାଇ ବ୍ରହ୍ମପୁର ଏସ୍ଡ଼ିଜେଏମ୍ କୋର୍ଟରେ ହଜାର କରିଛି ପୋଲିସ ।
ପୋଲିସ ଅଭିଯୁକ୍ତ ସୁବ୍ୟମନ୍ୟନ୍ ଠାରୁ ଏଭଳି ଠକେଇରେ ବ୍ୟବହାର କରାଯାଉଥିବା ଜାଲି ଭିସା, ବିଦେଶରେ ଚାକିରି ମିଳିବା ନାମରେ ପ୍ରସ୍ତୁତ ନକଲି ପ୍ରମାଣପତ୍ର ଜବତ କରାଯାଇଛି । ଏପରିକି ପୋଲିସ୍ ଅଭିଯୁକ୍ତ ନିକଟରୁ ଗୋଟିଏ ଲାପ୍ଟପ୍, ଦୁଇଟି ମୋବାଇଲ୍, ୪ଟି ସିମ୍ କାର୍ଡ଼, ୨୭ଟି ନକଲି ଭିସା, ପାନ୍ କାର୍ଡ଼, ପରିଚୟ ପତ୍ର ଏବଂ ଆକ୍ସସ୍ ବ୍ୟାଙ୍କ ଆକାଉଣ୍ଟରେ ରହିଥିବା ୪ଲକ୍ଷ ୭୫ ହଜାର ଟଙ୍କା ଜବତ କରିଛି ।
ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତ ସୁବ୍ରମନ୍ୟନ୍ ବୀରାସ୍ୱାମୀ ୨୦ରୁ ଉର୍ଦ୍ଧ୍ୱ ଯୁବକଙ୍କୁ ମାଳଦ୍ୱୀପ ଏବଂ ବ୍ରୁନେଇରେ ନିଯୁକ୍ତି କରାଇଦେବାକୁ କହି ତାଙ୍କ ଠାରୁ ଭିସା ଏବଂ ବିମାନ ଟିକେଟ୍ ବାବଦକୁ ପାସ୍ପୋର୍ଟ ନେବା ସହ ୮ଲକ୍ଷ ୫୦ ହଜାର ଟଙ୍କା ନେଇଥିଲା । କିନ୍ତୁ ଚାକିରି ତ ଦୂରର କଥା ଟଙ୍କା ମଧ୍ୟ ଫେରାଇବାର ନାମ ନେଉନଥିଲା । ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ପକ୍ଷରୁ ସାଇବର ଥାନାଧିକାରୀ ଅକ୍ଷୟ କୁମାର ନାୟକ ଏବଂ ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଘଟଣାର ଖୋଳତାଳ ଜାରି ରଖିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ