ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ଓରମାସ୍, ପଞ୍ଚାୟତରାଜ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଏକ ଛୋଟ ପ୍ରଦର୍ଶନୀ ଛତ୍ରପୁର ଷ୍ଟାଡିଅମ୍ ଠାରେ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କ୍ଷୁଦ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।
![ଛତ୍ରପୁରରେ ଆରମ୍ଭ ହେଲା କ୍ଷୁଦ୍ର ହସ୍ତକଳା ପ୍ରଦର୍ଶନୀ ମହୋତ୍ସବ](https://etvbharatimages.akamaized.net/etvbharat/prod-images/od-bam-inauguration-of-exhibition-7205524_23112020202408_2311f_1606143248_255.jpg)
ଆଜି ଠାରୁ ଆରମ୍ଭ କରାଯାଇଥିବା ଏହି ପ୍ରଦର୍ଶନୀ ଡିସେମ୍ବର ମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଦର୍ଶନୀରେ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ , ହସ୍ତଶିଳ୍ପୀ କାରୀଗର ମାନଙ୍କ ଦ୍ବାରା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଛି । ଏହି ପ୍ରଦର୍ଶନୀରେ ମାନବ ଜାତୀୟ ଗ୍ରାମ୍ୟ ସାମଗ୍ରୀ ଗୁଡିକ ପ୍ରଦର୍ଶନ ସହିତ ବିକ୍ରିବଟା ଚାଲିଛି । ଘରକରଣା ସାମଗ୍ରୀ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ଏଥିରେ ସ୍ଥାନ ପାଇଛି ।
ଏହି ପ୍ରଦର୍ଶନୀରେ ୬ ଗୋଟି ଷ୍ଟଲ ଖୋଲାଯାଇଛି । ଏହି ୬ ଟି ଷ୍ଟଲରେ ୬ ଟି ଏସଏଚଜି ଦଳକୁ ସୁଯୋଗ ପ୍ରଦାନ କରାଯାଇଛି । ଏମାନେ ୧୦ ଦିନ ପର୍ଯ୍ୟନ୍ତ ନିଜ ଉତ୍ପାଦିତ ଦ୍ରବ୍ୟପ୍ରଦର୍ଶନ ସହିତ ସାମଗ୍ରୀ ବିକ୍ରି କରିବେ ଏବଂ 10 ଦିନ ପରେ ଅନ୍ୟ ୬ ଟି ଏସଏଚଜି ଦଳକୁ ଏହି ସୁଯୋଗ ଦିଆଯିବ ବୋଲି ଓରମାସର ଡେପୁଟି ଚିଫ୍ ଏକ୍ଜୁଟିଭ୍ ଅଫିସର ଡଃ ଜୋତି ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।
ମାସ୍କ ପରିଧାନ ଏବଂ ସାମାଜିକ ଦୁରତା ବଜାଇ ରଖି ଦର୍ଶକ ଓ ଗ୍ରାହକ ମାନେ ପରିଦର୍ଶନ ସହିତ ସାମଗ୍ରୀ କିଣିପାରିବେ । ଏହି ଉଦଘାଟନୀ ଉତ୍ସବରେ ଜିଲ୍ମା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ