ବ୍ରହ୍ମପୁର: କୋରୋନା ପାଇଁ ସାରା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଚୋରା ମଦ କାରବାର ବୃଦ୍ଧି ପାଇଛି । ଯାହା ଉପରେ ରୋକ ଲଗାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାରେ ବ୍ୟାପକ ଧରପଗଡ କରାଯାଇ ବହୁ ପରିମାଣର ଚୋରା ମଦ ଜବତ କରାଯାଇଛି । ଘଟଣାରେ 2ଟି ମୋଟର ସାଇକେଲ ଜବତ କରାଯିବା ସହ 7 ଜଣଙ୍କୁ ଗିରଫ କରାଯାଇଛି ।


ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭର୍ତ୍ତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ଅଧିକାରୀ ମାନେ ଜିଲ୍ଲାର ଖଲ୍ଲିକୋଟ, ରମ୍ଭା, ପୁରଷୋତ୍ତମପୁର, ହିଞ୍ଜିଳିକାଟୁ ସମେତ ସୋରଡା ବ୍ଲକର ରାଜପୁର ଅଞ୍ଚଳକୁ ଅତର୍କିତ ଗସ୍ତ କରି ଚଢାଉ କରିଥିଲେ । ପାଖାପାଖି ୩୨୮ ଲିଟର ଦେଶୀ ମଦ ସମେତ ମହୁଲି ମଦକୁ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ