ଗଜପତି: ସାଧାରଣ ଜନତାଙ୍କ ସମସ୍ୟା ଦୂର କରିବାକୁ ସରକାର ଅନେକ ଯୋଜନା କରୁଛନ୍ତି । ତଥାପି ଲୋକଙ୍କ ପାଖରେ ଏହି ଯୋଜନା ସଠିକ୍ ଭାବେ ପହଞ୍ଚିପାରୁନାହିଁ । ଆଜି ବି କିଛି ଅଞ୍ଚଳରେ ନାଁ ଅଛି ବିଜୁଳି ଆଲୁଅ ନା ପିଇବାକୁ ବୁନ୍ଦେ ଭଲ ପାଣି । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମାନଙ୍କ ସମସ୍ୟା ବୁଝିବାକୁ କେହି ବି ନାହାଁନ୍ତି । ଏମିତି କିଛି ଅଭିଯୋଗ ହୋଇଛି ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ ଗ୍ରାମ ପଞ୍ଚାୟତର ଦେଉଳା ନୂଆ କଲୋନୀ ଚମ୍ପାପୁରରେ । ଏଠାର ଲୋକଙ୍କୁ ବିଶୁଦ୍ଧ ପାନୀୟ ମିଳିବା କଷ୍ଟକର ।
ନଳକୂପରେ ଆସୁଥିବା ଗୋଳିଆ ପାଣିକୁ ପିଇବା ଏବଂ ରାନ୍ଧିବାରେ ବ୍ୟବହାର କରୁଛନ୍ତି । ତିତିଲି ବାତ୍ୟା ପରେ ପାହାଡ଼ ଉପରେ ଥିବା ବଡ଼ ଦେଉଳା ଓ ସାନ ଦେଉଳା ଗ୍ରାମର ଲୋକଙ୍କୁ ଆଣି ସମତଳ ଜାଗାରେ ସରକାର ଥଇଥାନ କରିଥିଲେ । କିନ୍ତୁ ଆଜିକୁ ପ୍ରାୟ ଦୁଇ ବର୍ଷରୁ ଊର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ସରକାର ଏମାନଙ୍କ ପାଇଁ ପିଇବାକୁ ବୁନ୍ଦେ ଭଲ ପାଣି ଓ ବିଜୁଳି ଆଲୋକର ବ୍ୟବସ୍ଥା କରିପାରିଲେ ନାହିଁ । ବର୍ତ୍ତମାନ ଗ୍ରାମବାସୀ ଏକ ଭିଡିଓ ଜରିଆରେ ପ୍ରଶାସନକୁ ନିଜର ସମସ୍ୟା ଜଣାଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ