ଗଜପତି: କେନ୍ଦ୍ରରେ ବିଜେପି ନେତୃତ୍ଵ ବା ଏନଡିଏ ସରକାର 2014 ମସିହାରୁ ରହିଛି । ସେହିପରି ରାଜ୍ୟରେ ଗତ 20 ବର୍ଷରୁ ଅଧିକ ସମୟ ଧରି ବିଜେଡି ନେତୃତ୍ବାଧୀନ ସରକାର ରହିଛି । ଉଭୟ ସରକାରଙ୍କ କାର୍ଯ୍ୟକାଳରେ ସେମାନେ କରିଥିବା କାର୍ଯ୍ୟଧାରାକୁ ତୁଳନା କରିବା ଆବଶ୍ୟକ । ସମସ୍ତ ରାଜନୈତିକ ଦଳ ଶାସନ ଗାଦିରେ ବସିବାକୁ ଚାହାଁନ୍ତି । ବିଜେପି ମଧ୍ୟ ସେହି ସମାନ କଥା ଚାହେଁ । କିନ୍ତୁ, ଅନ୍ୟମାନେ କେବଳ ନିଜର ଉନ୍ନତି ପାଇଁ ସରକାରରେ ରହିବାକୁ ଚାହୁଁଥିବା ବେଳେ ଦିଜେପି ଲୋକଙ୍କ ଉନ୍ନତି ପାଇଁ କାମ କରିବାକୁ ସରକାରରେ ରହିବାକୁ ଚାହୁଁଛି । ଏତିକି ହିଁ କେବଳ ଅନ୍ୟ ରାଜନୈତିକ ଦଳ ଏବଂ ବିଜେପି ମଧ୍ୟ ଫରକ । ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ଅବସରରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଏଭଳି ମତ ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ।
କେନ୍ଦ୍ରର ବିଜେପି ନେତୃତ୍ତ୍ବାଧୀନ ସରକାର ମହିଳା ଓ ଶିଶୁ ମାନଙ୍କ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ସେମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । କିନ୍ତୁ, ରାଜ୍ୟରେ ଦିନକୁ ଦିନ ଶିଶୁ ନିଖୋଜ, ହତ୍ୟା ଏବଂ ଦୁଷ୍କର୍ମ ଭଳି ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ରାଜ୍ୟରେ ବିଜେଡି ସରକାରଙ୍କ ଦୁର୍ନିତୀ ବିରୁଦ୍ଧରେ ମୁହଁ ଖୋଲୁଥିବା ଲୋକଙ୍କୁ ହତ୍ୟା କରିବାକୁ ମଧ୍ୟ ବିଜେଡିର ଗୁଣ୍ଡାମାନେ ପଛାଉ ନାହାନ୍ତି । ବିଜେଡି ନିଜର କିମ୍ବା ନିଜ ଦଳର ନେତାଙ୍କ ଉନ୍ନତି ପାଇଁ ସରକାରରେ ରହିବାକୁ ଏଭଳି କାର୍ଯ୍ୟ କରୁଥିବା ବେଳେ ବିଜେପି ‘‘ସବକା ସାଥ, ସବକା ବିକାଶ’’ ଲକ୍ଷ୍ୟ ରଖି କାମ କରିଚାଲିଛି । ତେଣୁ, ଲୋକେ ଏହାର ତୁଳନା କରି ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଭୋଟ ଦେଇ ସରକାର ଗଠନରେ ସହାୟକ ହେବାକୁ ସେ ଆହ୍ବାନ ଜଣାଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ