ଗଜପତି: କୋରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ। ତେଣୁ ସାରା ଦେଶରେ ବର୍ତମାନ ଲକଡାଉନ ଘୋଷଣା କରାଯାଇଛି । ଏହି ନିର୍ଦ୍ଦେଶକୁ ଗଜପତି ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରୁଛି। ଏଭଳି ପରିସ୍ଥିତିରେ ଏହାର ପ୍ରତିକାର ଦିଗରେ ଜିଲ୍ଲାରେ ତୃଣମୂଳ ସ୍ତରରେ କିଭଳି ଲୋକଙ୍କୁ ସଚେତନ କରାଯାଇ ପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି।
ପୌର କର୍ମଚାରୀ ଏବଂ ସ୍ବଚ୍ଛ ସାଥୀ ମିଳିତ ଭାବେ ଘରକୁ ଘର ବୁଲି ଲୋକଙ୍କୁ କୋରୋନା ସଂପର୍କରେ ସଚେତନ କରୁଛନ୍ତି । ବର୍ତମାନ ଦେଶରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ସରକାର ଜାରି କରିଥିବା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କଲେ ଏହାର ମୁକାବିଲା ସମ୍ଭବ ବୋଲି ଲୋକଙ୍କୁ ବୁଝାଉଛନ୍ତି ।
ସେହିଭଳି କୋରୋନା ଭୟରେ ବିଭିନ୍ନ ସ୍ଥାନରେ କାମ କରୁଥିବା ଲୋକେ ବର୍ତ୍ତମାନ ଗାଁ ମୁହାଁ ହେଉଛନ୍ତି। ତେଣୁ ସ୍ବଚ୍ଛସାଥୀ ମାନେ ଏମାନଙ୍କ ତାଲିକା ରଖୁଥିବା ଦେଖିବାକୁ ମିଳୁଛି। ଏହାସହ କିଛି ସମୟ ଅନ୍ତରରେ ହାତକୁ ଭଲ କରି ଧୋଇବା, ସାନିଟାଇଜର, ହ୍ୟାଣ୍ଡୱାସ ବ୍ୟବହାର କରିବା, ସାମାଜିକ ଦୂରତ୍ବ ରକ୍ଷା କରିବା ସହ ଲୋକଙ୍କୁ ଲିଫଲେଟ ଦେଇ ଏଭଳି ପରାମର୍ଶ ଦେଉଛନ୍ତି।
ଭୀଷଣ ଖରା ସତ୍ବେ ପାରଳାଖେମୁଣ୍ଡି ସହରରେ ପୌରପରିଷଦ ପକ୍ଷରୁ ଏହି ସ୍ଵଚ୍ଛସାଥୀ ମାନେ ସଭିଙ୍କୁ ସଚେତନ କରୁଛନ୍ତି । ତୃଣମୂଳ ସ୍ତରରୁ ପୌର କର୍ମଚାରୀ ଏବଂ ସ୍ବଚ୍ଛ ସାଥୀ ମିଳିତ ଭାବେ ଘରକୁ ଘର ବୁଲି ଲୋକଙ୍କୁ କୋରୋନା ସଂପର୍କରେ ସଚେତନ କରୁଛନ୍ତି ।
ବର୍ତ୍ତମାନ ଦେଶରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ସରକାରୀ ଜାରୀ କରିଥିବା ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କଲେ ଏହାର ମୁକାବିଲା ସମ୍ଭବ ହେବ ବୋଲି ସ୍ବଚ୍ଛ ସାଥୀ ଲୋକଙ୍କୁ ସଚେତନ କରୁଥିବାରୁ ଏହି ଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି ।
ସ୍ବଚ୍ଛ ସାଥୀ ମିଳିତ ଭାବେ ବର୍ତମାନ ପରିସ୍ଥିତିରେ କରୁଥିବା ଏହି ପ୍ରୟାସକୁ ଅଶୋକ କୁମାର ରାଉତ(ନିର୍ବାହୀ ଅଧିକାରୀ, ପାରଳାଖେମୁଣ୍ଡି) ପ୍ରସଂଶା କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଭଳିଆ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ