ଗଜପତି: ପାରଳାଖେମୁଣ୍ଡି ଜବାହାର ନବୋଦୟ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ ଛାତ୍ରୀ ସୌଦାମୀନି ରଇତ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସୌଦାମିନୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କ ବେକରେ ଓ ମୁହଁରେ କ୍ଷତ ଚିହ୍ନ ରହିଛି । ଯାହାକୁ ନେଇ ତାଙ୍କ ବାପାଙ୍କର ସନ୍ଦେହ ହେବାରୁ ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ସକାଳ 5ଟା ସମୟରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ବ୍ୟାୟାମ କରିବାକୁ ଯାଇଥିଲେ । କିନ୍ତୁ ସୌଦାମିନୀ ଯାଇନଥିବାରୁ ସାଥି ମାନେ ତାଙ୍କୁ ଖୋଜା ଖୋଜି କରିବା ପରେ ହଷ୍ଟେଲ କୋଠାର ସିଡି ନିକଟରେ ଝୁଲନ୍ତା ଅବସ୍ଥାରେ ପିଲାମାନେ ତାଙ୍କୁ ଦେଖିଥିଲେ । ଏନେଇ ଖବର ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଛାତ୍ରୀ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।
ତାଙ୍କ ସହପାଠୀଙ୍କ କହିବା ଅନୁଯାୟୀ, ରବିବାର ସ୍କୁଲ ଛୁଟି ଥିବାରୁ ସମସ୍ତ ପିଲା ହଷ୍ଟେଲରେ ହିଁ ରହିଥିଲେ । ପରୀକ୍ଷା ପାଖେଇ ଆସିଥିବାରୁ ସାଙ୍ଗମାନଙ୍କ ସହ ଦିନତମାମ ପଢାପଢି କରିବା କଥା ହୋଇଥିଲା ସୌଦାମିନୀ । ଗତକାଲି ସେ କୌଣସି ଚିନ୍ତାରେ ଥିବା ଭଳି ମନେ ହେଉଥିଲା । ଏପରିକି ସେ ଦିନ ତମାମ କିଛି ଖାଇନଥିଲେ ମଧ୍ୟ । ରାତିରେ ସମସ୍ତେ ଶୋଇବାକୁ ଯିବା ବେଳେ ସେ ବିଦ୍ୟାଳୟର 7ମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞାଙ୍କ ସହ ଦେଖା କରିବାକୁ ଯାଇଥିଲା । ସେଠାରେ କିଛି ସମୟ କଥା ହେବା ପରେ ନିଦ ଲାଗୁନାହିଁ, ମୁଁ ମୋ ବେଡକୁ ଯାଉଛି ବୋଲି କହିଥିଲେ ମୃତ ଛାତ୍ରୀ ଜଣଙ୍କ ।
କିନ୍ତୁ ସକାଳ ହେବା ମାତ୍ରେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଯାହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସୌଦାମିନୀଙ୍କ ସାଙ୍ଗ ଶ୍ରୀୟା ଏବଂ ଭଉଣୀ । ସୌଦାମିନୀ ଜଣେ ଭଲ ଛାତ୍ରୀ ଥିଲା । ସେ ଭଲ ପାଠ ପଢିବା ସହ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ହେଲେ ସେ ହଠାତ୍ ଏମିତି କାହିଁକି କଲେ ତାହା ଏବେବି ଜଣାନଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା।
ଏଥିସହ ସୌଦାମିନୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ ବାପା ଡେଭିଡ୍। ଝିଅର ମୁହଁରେ ଏବଂ ବେକରେ କ୍ଷତ ଚିହ୍ନ ରହିଛି । ତେଣୁ ଏହା ଆତ୍ମହତ୍ୟା ହୋଇନଥାଇପାରେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା । ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।
ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ଛାତ୍ରୀଙ୍କ ମୃତ୍ୟୁର କାରଣ ଖୁବଶୀଘ୍ର ସ୍ପଷ୍ଟ ହୋଇପାରେ ବୋଲି କୁହାଯାଉଛି । ସତରେ କଣ ସୌଦାମିନୀ ଚରମ ନିଷ୍ପତ୍ତି ନେଇଛନ୍ତି । ତାହା ତଦନ୍ତ ପରେ ହିଁ ଜଣାପଡିବ ।
ଇଟିଭି ଭାରତ,ଗଜପତି