ଗଜପତି: ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି । ବିଦ୍ୟାଳୟର ରୂପରେଖ ବଦଳାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି ସ୍ମାର୍ଟ କ୍ଲାସରୁମ । ଗଜପତି ଜିଲ୍ଲାରେ ଏଯାଏଁ 80ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଯାଇଛି । ହେଲେ ଆଜିବି ଅନେକ ସ୍କୁଲ ଅଛି ଯେଉଁଠି ପଢିବା ପାଇଁ ଉପଯୁକ୍ତ କ୍ଲାସରୁମ ଟିଏ ନାହିଁ । 2018ମସିହାରେତିତିଲି ବାତ୍ୟା ଏବଂ ପରବର୍ତ୍ତି ସମୟରେ ହୋଇଥିବା କାଳବୈଶାଖି ଯୋଗୁଁ ସ୍କୁଲରୁ ଉଡିଯାଇଛି ଛାତଛପର । ଫଳରେ ପରିତ୍ୟକ୍ତ ଘରେ ବସି ପାଠ ପଢୁଛନ୍ତି ପିଲାଏ ।ଏଭଳି ଏକ ସ୍କୁଲର ବିକୃତ ବିକଳାଙ୍ଗ ଚେହେରା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଲଡା ପଞ୍ଚାୟତର ଡିଡିଂଗୁଡା ଠାରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ଡିଡିଂଗୁଡା ଠାରେ ଥିବା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶେଣୀ ଯାଏଁ ରହିଥିବା ବେଳେ ୩ ଆଦିବାସୀ ଅଧ୍ୟୁସିତ ଗାଁର ପିଲା ଏହି ସ୍କୁଲ ଉପରେ ନିର୍ଭରଶୀଳ । ହେଲେ ଏଠି ପାଠ ପଢି ଆଗକୁ ବଢିବା ସ୍ବପ୍ନ ସତ ହେବା ଆଶଙ୍କାରେ ରହିଯାଇଛି ।କେତେବେଳେ ଏହି ପରିତ୍ୟକ୍ତ ଘର ଭୂଷୁଡି ପଡିବ ଏବଂ କାହାର ଜୀବନ ଯିବ ତାହା କହିବା ମଧ୍ୟ ମୁସ୍କିଲ୍ ହୋଇପଡିଛି । କେବଳ ସେତିକି ନୁହେଁ , ସ୍କୁଲର ପାଚେରୀ ନଥିବାରୁ ବିଭିନ୍ନ ସମୟରେ ବିଷଧର ସାପ ପଶି ଆସୁଥିବା ଏଠାକାର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା କୁମାରୀ ଓଁକାର କହିଛନ୍ତି । ଏନେଇ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାଗଜ କଲମରେ ରହିଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ । ତେବେ 1ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କାଶୀନଗର ବିଡିଓ ଲକ୍ଷ୍ମୀପ୍ରସାଦ ସାହୁ ।
ସ୍ମାର୍ଟ ସ୍କୁଲ ଦ୍ବାରା ଉତ୍ତମ ଶୈଖିକ ବାତାବରଣ ସୃଷ୍ଟି ହେଉଥିବା ଦାବି କରି ବାହା ବାହା ନେଉଛନ୍ତି ସରକାର । ହେଲେ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅଧୁରା ରହିଛି ବିକାଶ । ଏହି ପ୍ରାଥମିକ ବିଦ୍ୟାଳୟ ଉପରେ ପ୍ରଶାସନର ଦୃଷ୍ଟି କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ